ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିବାବେଳେ ଉପକୂଳରେ ଅନୁଭୂତ ହେଉଛି ଅସହ୍ୟ ଗୁଳୁଗୁଳି । ବାୟୁମଣ୍ଡଳରେ ଆର୍ଦ୍ରତା ୭୯ ପ୍ରତିଶତ ରହିଥିବାରୁ ଉପକୂଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ ପ୍ରଥମ ଥରପାଇଁ ଜୁନ୍ ମାସରେ ପାରଦ ୪୫ ଡିଗ୍ରୀ ଅତିକ୍ରମ କରିଛି ।
ଆଗାମୀ ଦିନରେ ମଧ୍ୟ ଏପରି ତାପମାତ୍ରା ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ରାଜ୍ୟବାସୀ ଭୟଭୀତ ହୋଇପଡ଼ିଛନ୍ତି । ରାତି ପାହିଲେ ସୂର୍ୟ୍ୟଙ୍କ କୋପ ବେଶ୍ ଅନୁଭୂତ ହେଉଛି । ସକାଳ ୭ଟାରୁ ପାରଦ ବୃଦ୍ଧି ପାଉଛି । ଏପରିକି ଦିନ ୧୧ଟା ପରେ ରାସ୍ତାରେ ଯିବା ସମ୍ଭବପର ହୋଇପାରୁ ନାହିଁ । ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଶୂନଶାନ ହୋଇପଡୁଛି । ଶୀତଳଷଷ୍ଠୀ ପରେ ରଜ ସମୟରେ ବର୍ଷାର ପ୍ରଭାବ ଦେଖାଦେଇଥାଏ । ମାତ୍ର ଚଳିତବର୍ଷ ସେପରି କିଛି ହେବାର ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।
ଦ୍ରୁତ ଜଙ୍ଗଲ କ୍ଷୟ ସାଙ୍ଗକୁ କଂକ୍ରିଟ ଜଙ୍ଗଲ ସୃଷ୍ଟି ଏହି ତାପମାତ୍ରା ବୃଦ୍ଧିର କାରଣ ବୋଲି ବିଶେଷଜ୍ଞମାନେ ମତ ପୋଷଣ କରୁଛନ୍ତି । ବିଶେଷକରି ତାପର ପ୍ରଭାବରେ ଦିନ ମଜୁରିଆ ଓ ଖଟିଖିଆଙ୍କ ଅବସ୍ଥା ବେହାଲ ହୋଇପଡ଼ିଛି । ସରକାର ଦିନ ୧୧ଟାରୁ ଦିନ ୩ଟା ପର୍ୟ୍ୟନ୍ତ କାମ କରିବାକୁ ବାରଣ କରିଥିବାରୁ ସେମାନଙ୍କ ଜୀବନ ଜୀବିକା ଉପରେ ଏହା ବେଶ୍ ପ୍ରଭାବ ପକାଇଛି । ଶୁକ୍ରବାର ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିଲା ।
ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୫.୬ ଡିଗ୍ରୀ ରହିଥିବାବେଳେ ସମ୍ବଲପୁରରେ ଏହା ୪୫.୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ୯ଟି ଜିଲ୍ଲାପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ୍ୱେଭ୍ ଆଲର୍ଟ ଜାରି କରାଯାଇଛି । ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଇତ୍ୟାଦି ଜିଲ୍ଲାପାଇଁ ଏହି ଆଲର୍ଟ ଜାରି କରାଯାଇଛି । ଉପକୂଳରେ ଦିନରେ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚୁଛି ।
ଅନ୍ୟପକ୍ଷରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହି ଲଘୁଚାପ ସମୁଦ୍ର ମଝିରେ ରହିବ ନା ସ୍ଥଳଭାଗକୁ ଆସିବ ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେବେ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ରାଜ୍ୟର ୨୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ରେକର୍ଡ କରାଯାଇଛି । ୪୪.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ହୋଇଥିବାବେଳେ ସମ୍ବଲପୁରରେ ୪୪.୬, ହୀରାକୁଦରେ ୪୪.୨, ସୋନପୁରରେ ୪୪.୫, ବରଗଡ଼ରେ ୪୪.୪, ବୌଦ୍ଧରେ ୪୪.୬, ବଲାଙ୍ଗୀରରେ ୪୪.୩, ସୁନ୍ଦରଗଡ଼ରେ ୪୪.୧, ରାଉରକେଲାରେ ୪୩, ବୌଦ୍ଧରେ ୪୪.୬, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୩.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ କଟକ ଓ ଭୁବନେଶ୍ୱରରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିଲେ ମଧ୍ୟ ତାପମାତ୍ରା ୩୮.୨ ଡିଗ୍ରୀ ଥିବା ସୂଚନା ଦିଆଯାଇଛି ।
ଅନ୍ୟପଟେ ଯଦିଓ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁ ସାରିଛି, ତେବେ ମୌସୁମୀ କେବେ ଓଡ଼ିଶାକୁ ଆସିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଆଇଏମଡି ପକ୍ଷରୁ ଦିଆଯାଇନାହିଁ । ଆଇଏମ୍ଡି ପକ୍ଷରୁ କୁହାଯାଇଛି ଯେ ଏଥର ରଜରେ ବର୍ଷା ହେବାର ସମ୍ଭାବନା ନାହିଁ । ଅର୍ଥାତ ପ୍ରଚଣ୍ଡ ତାତିରେ ରଜ ପାଳନ କରାଯିବ । ସେହିପରି ମୌସୁମୀ ବାୟୁ ସଂପୂର୍ଣ୍ଣ କେରଳକୁ ଛୁଇଁ ସାରିଥିବାବେଳେ ଏହା ତାମିଲନାଡୁକୁ ମଧ୍ୟ ଛୁଇଁ ସାରିଛି । ମୌସୁମୀ ଓଡ଼ିଶା ଉପକୂଳ କେବେ ଛୁଇଁବ ତାହା ଦୁଇରୁ ତିନିଦିନ ମଧ୍ୟରେ ସ୍ପଷ୍ଟ ହେବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ସଂପ୍ରତି ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଛି ।