ଉପକୂଳରେ ବଢିବ ତାତି: କଲବଲ କରିବ କୁହୁଡି, ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି
ଦିନରେ ତାପମାତ୍ରା ୨୩ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ. ଏଥିପାଇଁ ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର: କଲବଲ କରିବ କୁହୁଡ଼ି। ବୃଦ୍ଧି ପାଇବ ତାପମାତ୍ରା। କିଛି ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ କୁହୁଡିର ମାତ୍ରା ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛି।
ଏପରିକି ଦିନରେ ତାପମାତ୍ରା ୨୩ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରାଯାଇଛି।
ବିଶେଷ କରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଜଗତସିଂହପୁର, କଟକ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡିରେ କୁହୁଡିର ମାତ୍ରା ଅଧିକ ରହିବ।
ଏହା ସହିତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟ କୁହୁଡି ହେବ ବୋଲି ପାଣିପାଗ ବିଜ୍ଞାନୀ ଅନୁମାନ କରିଛନ୍ତି।
ସେହିପରି ଆଗାମୀ ୫ ଦିନ ମଧ୍ୟରେ ଉପକୂଳ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଧ୍ୟ ଓଡ଼ିଶା ବିଶେଷ କରି ଫୁଲବାଣୀ, ନବରଙ୍ଗପୁର, ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା ଆଦି ଅଞ୍ଚଳରେ ଥଣ୍ଡା ଅନୁଭୂତ ହେବା ନେଇ ପାଣିପାଗ ସୂଚନା ପ୍ରଦାନ କରିଛି।
ସେହିପରି ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇପାରେ। ଏହି ତାପମାତ୍ରା ଆଗାମୀ ୫ ଦିନ ମଧ୍ୟରେ ୨୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ଆସନ୍ତା ୩୦ ତାରିଖରେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ତାପମାତ୍ରା ୨୩ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।