ଅଷ୍ଟ୍ରେଲିଆରେ ବନ୍ୟାର ତାଣ୍ଡବ, ଚାରି ଜଣଙ୍କ ମୃତ୍ୟୁ; 50 ହଜାରରୁ ଅଧିକ ଜଳବନ୍ଦୀ

ଅଷ୍ଟ୍ରେଲିଆର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ 3 ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି ।

ଅଷ୍ଟ୍ରେଲିଆ: ବନ୍ୟାରେ ଉବୁଟୁବୁ ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ 3 ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି ଏବଂ 330 ଜଣଙ୍କୁ ଉଦ୍ଧାର କରାଯାଇଛି । ବନ୍ୟା ଏବଂ ଲଗାଣ ବର୍ଷା ଯୋଗୁଁ 50 ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

ରାସ୍ତା ନଈ ପାଲଟିଥିବା ବେଳେ ଡଙ୍ଗା ସାଜିଛି ଭରସା । ବନ୍ୟା ପରେ ଚାଲିଛି ରେସକ୍ୟୁ ଅପରେସନ । ପ୍ରାୟ 2000ରୁ ଅଧିକ କର୍ମଚାରୀ ଉଦ୍ଧାରକାମରେ ନିୟୋଜିତ ହୋଇଛନ୍ତି । ହେଲିକପ୍ଟର ମାଧ୍ୟମରେ ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ଏହି ବନ୍ୟା 1929 ମସିହାରେ ହୋଇଥିବା ବନ୍ୟାଠାରୁ ଅଧିକ ଭୟଙ୍କର ବୋଲି ରେକର୍ଡ କରାଯାଇଛି ।

ରିପୋର୍ଟ ଅନୁସାରେ, ବନ୍ୟା ପାଣିରୁ ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଗାଡ଼ି ଚଲାଇବା ସମୟରେ ବନ୍ୟା ପାଣିରେ ତିନି ଜଣ ଭାସି ଯାଇଥିବା ବେଳେ ଜଣଙ୍କ ମୃତଦେହ ତାଙ୍କ ଘର ବାରଣ୍ଡାରୁ ମିଳିଥିଲା। ସେହିପରି ଗତ ବୁଧବାର ରାତିରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସମୟରେ ଜଣେ 49 ବର୍ଷୀୟ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ ଏବଂ ତାଙ୍କୁ ଖୋଜିବା ଏବେ ବି ଜାରି ରହିଛି।

ପ୍ରଧାନମନ୍ତ୍ରୀ, ଶୁକ୍ରବାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଏହା ସହ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଜରୁରୀକାଳୀନ ସେବା ଏବଂ ସ୍ଵେଚ୍ଛାସେବକମାନେ 678 ଜଣଙ୍କୁ ଉଦ୍ଧାର କରିଛନ୍ତି। ଯଦି ସ୍ୱେଚ୍ଛାସେବକମାନେ ନଥାନ୍ତେ, ତେବେ ମୃତ୍ୟୁ ସଂଖ୍ୟା ଶହ ଶହ ହୋଇଥାନ୍ତା ବୋଲି କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ। ପାଗ ବଦଳିବା ପରେ, ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ନିରନ୍ତର ନଜର ରଖାଯାଉଛି। ବନ୍ୟା ଯୋଗୁଁ ଅନେକ ରାସ୍ତା ଏବଂ ସେତୁ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।