ବର୍ଷାରେ ବେହାଲ୍ ଭୁବନେଶ୍ୱର, ପାଣିରେ ବୁଡ଼ିଗଲା ରାସ୍ତା ଘାଟ, ୧୨ଟା ଯାଏଁ ପ୍ରବଳ ନାଦିବ

୧୨ ଯାଏଁ ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଭୁବନେଶ୍ୱରରେ ଜାରି ରହିଛି ବର୍ଷା। ସକାଳୁ ବର୍ଷାରେ ଭିଜୁଛି ରାଜଧାନୀ। ଏହି ବର୍ଷା ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରିଛି। ଏଥିପାଇଁ ରାସ୍ତାଘାଟ ପାଣିରେ ବୁଡ଼ିଗଲାଣି। ଟ୍ରାଫିକ୍ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି ବର୍ଷା ୧୨ଟା ଯାଏଁ ଲାଗିରହିବ ବୋଲି କୁହାଯାଇଛି।

ସୂଚନାନୁଯାୟୀ, ଘଣ୍ଟାଏରୁ ୨ ଘଣ୍ଟା ପର୍ଯ୍ୟନ୍ତ ତୀବ୍ର ବୃଷ୍ଟିପାତର ସମ୍ଭାବନା ରହିଛି। ଦିନ ୧୨ଟା ଯାଏଁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ୧୨ଟା ପରେ ଏହି ବର୍ଷାର ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଆଗାମୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ ଲଘୁଚାପ ବର୍ଷା । ପରବର୍ତ୍ତୀ ସମୟରେ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ।

ଆଗାମୀ ୨୪ ଘଣ୍ଟାରେ ଏହା ଓଡ଼ିଶା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲଘୁଚାପ ପ୍ରଭାବରେ ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ।

ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷିବା ସହ ସଂଲଗ୍ନ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ବିଶେ‌ଷ କରି ଆସନ୍ତାକାଲି ମାଲକାନଗିରି ଓ କୋରାପୁଟରେ ‌ପ୍ରବଳ ଛେଚିବ ବୋଲି ଜଣାପଡ଼ିଛି। ଏଣୁ ଏହି ଦୁଇ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।