ଆସୁଛି ଝଡ଼ପବନ ସହ ବଡ଼ ବର୍ଷା, ବନ୍ଦ ହୋଇପାରେ ସ୍କୁଲ କଲେଜ

ନୂଆଦିଲ୍ଲୀ,୧୩।୩:ବର୍ତ୍ତମାନ ଉତ୍ତର ଭାରତରେ ଗରମ ଜାରି ରହିଛି । ଗରମରୁ ତ୍ରାହି ପାଇବା ପାଇଁ ଆସୁଛି ଏକ ବଡ଼ ବର୍ଷା । ଝଡ଼ ପବନ ସହ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ଦେଶର ଅଧିକାଂଶ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଜାରି କରାଯାଇଥିବା ସତର୍କ ସୂଚନାନୁଯାୟୀ ମାର୍ଚ୍ଚ ୧୫ରେ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି। ପ୍ରଥମ ଘୂର୍ଣ୍ଣିବଳୟ ଇରାକରୁ ଉତ୍ତର ଭାରତ ଆଡକୁ ଗତି କରୁଛି, ଯାହା ଦିଲ୍ଲୀ-ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ବଢୁଥିବା ତାପମାତ୍ରାରେ ଆଶ୍ୱସ୍ତି ଆଣିପାରେ ।

ଏହି ସମୟରେ ବାଂଲାଦେଶରୁ ଦ୍ୱିତୀୟ ଘୂର୍ଣ୍ଣିବଳୟ ଆସୁଛି,ଯାହା ପୂର୍ବ ଏବଂ ଉତ୍ତର ପୂର୍ବ ରାଜ୍ୟରେ ବଡ଼ ବର୍ଷା ଆଣିବ ବୋଲି ଆଶା କରାଯାଉଛି। ଏହି ଘୂର୍ଣ୍ଣିବଳୟ ଉତ୍ତର, ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ପାଣିପାଗ ଢାଞ୍ଚାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାର ସମ୍ଭାବନା ଅଛି।

ମାର୍ଚ୍ଚ ୧୫ରେ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପ୍ରବଳ ତୁଷାରପାତ, ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ମାର୍ଚ୍ଚ  ୧୩ରୁ ୧୫ପର୍ଯ୍ୟନ୍ତ ରାଜସ୍ଥାନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିବ।

ବିହାର ଏବଂ ପଶ୍ଚିମବଙ୍ଗ ସମେତ ପୂର୍ବ ରାଜ୍ୟ ତଥା ଅରୁଣାଚଳ ପ୍ରଦେଶ ଭଳି ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅରୁଣାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ତୁଷାରପାତ ହୋଇପାରେ। ଦକ୍ଷିଣ ଭାରତରେ ତାମିଲନାଡୁ, କେରଳ ଭଳି ରାଜ୍ୟରେ ପ୍ରବଳ ବର୍ଷା ପାଇଁ ସତର୍କ କରାଯାଇଛି। ପରିସ୍ଥିତି ଆହୁରି ଖରାପ ହେଲେ ସ୍କୁଲ ଏବଂ କଲେଜ ବନ୍ଦ ହୋଇପାରେ।

ବିଶେଷ କରି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଅଞ୍ଚଳରେ ବନ୍ୟା ପରିସ୍ଥିତି, ବିଦ୍ୟୁତ୍ ସରବରାହ ଏବଂ ଭିତ୍ତିଭୂମି ନଷ୍ଟ ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ପୂର୍ବ ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କୁ ପରିସ୍ଥିତି ସ୍ଥିର ନହେବା ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ଚେତାବନୀ ଦିଆଯାଇଛି।

ପୂର୍ବ ଉପକୂଳରେ ପ୍ରବଳ ବର୍ଷା ହୋଇପାରେ, ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ମାର୍ଚ୍ଚ ୧୫ପରେ ଘୂର୍ଣ୍ଣିବଳୟ ପରିସ୍ଥିତି ଦୁର୍ବଳ ହୋଇପାରେ ବୋଲି ଆକଳନ କରାଯାଇଛି, କେତେକ ଅଞ୍ଚଳରେ ବର୍ଷା ଜାରି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ।