ଅବପାତ ପ୍ରଭାବରେ ଛେଚିବ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ସତର୍କ କଲେ SRC

ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ଏସ୍.ଆର୍.ସି।

ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି ବର୍ଷା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସ୍ଥିତି ଲାଗି ରହିବ। ତେଣୁ ବର୍ଷାକୁ ଆଖି ଆଗରେ ରଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍.ଆର୍.ସି।

ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ଏସ୍.ଆର୍.ସି। ବର୍ଷା ନେଇ ସତର୍କ ରହିବାକୁ ଦେଲେ ପରାମର୍ଶ। କାରଣ ରାଜ୍ୟର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଆସନ୍ତା ୨୪ ଘଣ୍ଟା ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଅତ୍ୟନ୍ତ ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୁରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରାଯାଇଛି। କେବଳ ସେତିକି ନୁହେଁ ପ୍ରବଳ ବର୍ଷା, ଘଡ଼ଘଡ଼ି ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି।

ଅବପାତ ପ୍ରଭାବରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ଏଥିପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିସବୁ ଜିଲ୍ଲାଗୁଡ଼ିକ ହେଲା,  ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଦେଓଗଡ଼,ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା।

୧୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ୨୯ ତାରିଖ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ୨୭ ତାରିଖ ପରେ ବର୍ଷାର ପରିମାଣ କମିପାରେ ବୋଲି ଆଶଙ୍କା କରାଯାଉଛି।