ନୂଆଦିଲ୍ଲୀ: ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଯଦି ଜଣେ ବିବାହିତା ମହିଳା ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହ ନିଜ ସହମତିରେ ଯୌନ ସମ୍ପର୍କ ରଖନ୍ତି, ତେବେ ଉକ୍ତ ମହିଳା ପରେ ସେହି ପୁରୁଷଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରିପାରିବେ ନାହିଁ । ଅନେକ ଥର ଏପରି ମାମଲା ସାମ୍ନାକୁ ଆସିଥାଏ ଯେଉଁଥିରେ ମହିଳାଙ୍କ ଦ୍ୱାରା କୁହାଯାଇଛି ଯେ କେବଳ ବିବାହର ପ୍ରତିଶୃତି ଉପରେ ଯୌନ ସମ୍ପର୍କ ସ୍ଥାପନ କରାଯାଇଥିଲା । ଅର୍ଥାତ କୋର୍ଟ କହିଛନ୍ତି ଯେ ଜଣେ ବିବାହିତା ମହିଳାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ସ୍ଥାପନ କରାଯାଇପାରିବ ନାହିଁ, କାରଣ ଏହି ପ୍ରତିଶୃତି ବେଆଇନ ଅଟେ ।
ଜଷ୍ଟିସ ସଞ୍ଜୟ କୁମାର ଦ୍ୱିବେଦୀ ତାଙ୍କ ବିଚାରରେ ବଳାତ୍କାରର ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଏହି ମାମଲାରେ ପୀଡ଼ିତା ଜଣେ ବିବାହିତ ମହିଳା । ସେ ତାଙ୍କ ନିଜ ଇଚ୍ଛାରେ ମନୀଷ କୁମାରଙ୍କ ସହ ଯୌନ ସମ୍ପର୍କ ରଖିଥିଲେ, କାରଣ ସେ ଜାଣିଥିଲେ ଯେ ସେ ମନୀଷ କୁମାରଙ୍କୁ ବିବାହ କରିପାରିବେ ନାହିଁ । କାରଣ ସେ ନିଜେ ବିବାହିତ ଥିଲେ ଏହା ପରେ ମଧ୍ୟ ସେ ମନୀଷଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଏପରି ପ୍ରତିଶ୍ରୁତି ଦେବା ବେଆଇନ ଏବଂ ଏହାକୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୭୬ (୨) (ଏନ୍) ଅନୁଯାୟୀ ବିଚାରର ଆଧାର ଭାବରେ ବିବେଚନା କରାଯାଇପାରିବ ନାହିଁ।
ବିବାହିତ ମହିଳାଙ୍କ ମା’ ମନୀଷ କୁମାରଙ୍କ ବିରୋଧରେ ଦେଓଘର ଜିଲ୍ଲା କୋର୍ଟରେ ଅଭିଯୋଗ କରିଥିଲେ । ତେବେ ଦେଓଘରର ଶ୍ରାବଣ ମେଳା ସମୟରେ ତାଙ୍କ ଝିଅ ମନୀଷ କୁମାରଙ୍କ ସହ ଯୋଗାଯୋଗ କରିଥିଲେ । ବିବାହିତା ମହିଳା ମନୀଷ କୁମାରଙ୍କୁ କହିଥିଲେ ଯେ ସେ ବିବାହିତ ଏବଂ ତାଙ୍କ ସ୍ୱାମୀଙ୍କ ସହ ଛାଡପତ୍ର ମାମଲା ବର୍ତ୍ତମାନ ଚାଲୁ ରହିଛିି । ଏହା ପରେ ମନୀଷ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହି ମହିଳା କହିଛନ୍ତି ଯେ ଛାଡପତ୍ର ପରେ ମନୀଷ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ । କିନ୍ତୁ ପରେ ମନୀଷ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । କୋର୍ଟ କହିଛନ୍ତି ଯେ ଯଦି ଜଣେ ବିବାହିତା ମହିଳା ସ୍ୱେଚ୍ଛାକୃତ ଭାବେ ତାଙ୍କ ସ୍ୱାମୀ ବ୍ୟତୀତ ଅନ୍ୟ ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖନ୍ତି, ତେବେ ଏହାକୁ ରେପ୍ ମାମଲା ଭାବେ ବିବେଚନା କରାଯାଇପାରିବ ନାହିଁ ।
ବିବାହ କରିବାକୁ ମନା କରିବା ପରେ ଏହି ମହିଳାଙ୍କ ମା’ ମନୀଷଙ୍କ ବିରୋଧରେ ଦୁଷ୍କର୍ମର ଏକ ମାମଲା ଦାୟର କରିଥିଲେ । ସେହି ଆଧାରରେ ଦେଓଘର ଜିଲ୍ଲା କୋର୍ଟ ମଧ୍ୟ ନିଷ୍ପତି ଗ୍ରହଣ କରିଥିଲେ । ଏହି ନିଷ୍ପତ୍ତି ବିରୋଧରେ ମନୀଷ କୁମାର ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ଏହି ମାମଲାକୁ ବନ୍ଦ କରିବାକୁ କହିଥିଲେ । ବର୍ତ୍ତମାନ ହାଇକୋର୍ଟ ଏହି ଆବେଦନ ଉପରେ ଏକ ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ଯେ କେବଳ ଦେଓଘର କୋର୍ଟରେ ଏହି ମାମଲା ଉପରେ ଆଗକୁ ଥିବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।