fbpx

VLWଙ୍କୁ ସର୍ବନିମ୍ନ ପେନସନ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ: ରଦ୍ଦ ହେଲା ରାଜ୍ୟ ସରକାରଙ୍କ ଆଦେଶ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ସମ୍ପାଦକରୁ ଗ୍ରାମ ସେବକ (ଭିଏଲଡବ୍ଲ୍ୟୁ)କୁ ପଦୋନ୍ନତି ପାଇଥିବା ଆବେଦନକାରୀଙ୍କୁ ସର୍ବନିମ୍ନ ପେନସନ୍ ପ୍ରଦାନ କରିବାକୁ ରାଜ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଆଦେଶକୁ ଖାରଜ କରି ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ପେନସନ ପାଇଁ ଭିଏଲଡବ୍ଉ୍ୟଲ ଚାକିରି ସମୟ ଯଥେଷ୍ଟ ହେଉ ନଥିବାରୁ ପଞ୍ଚାୟତ ସମ୍ପାଦକ ଚାକିରି ଅବଧିର ସମୟକୁ ହିସାବକୁ ନେଇ ପେନସନ ପ୍ରଦାନ କରାଯିବ । କୋର୍ଟଙ୍କ ଆଦେଶର ୨ ମାସ ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ କରାଯିବ ।

ଖବର ଅନୁଯାୟୀ, ପଞ୍ଚାୟତ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ରାଜ୍ୟ ସରକାର ଗ୍ରାମ ସେବକ ପଦକୁ ପଦୋନ୍ନତି ଦେଇଥିଲେ । ରାଜ୍ୟ ସରକାରଙ୍କ ଏହି ଆଦେଶ ଆସିବା ପରେ ଅନେକ କର୍ମଚାରୀ ୩-୪ ବର୍ଷ ଭିଏଲଡବ୍ଲ୍ୟୁ ପଦରେ କାମ କରିବା ପରେ ଅବସର ଗ୍ରହଣ କରିଥିଲେ । ତେଣୁ ସେମାନଙ୍କୁ ଗ୍ରାମସେବକ ଭାବେ ଅବସରକାଳୀନ କୌଣସି ପ୍ରାପ୍ୟ କି ପେନସନ୍ ମିଳିନଥିଲା । ତେଣୁ ଏହାକୁ ବିରୋଧ କରି ଫକୀରମୋହନ ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

କୋର୍ଟ ଉକ୍ତ ମାମଲାର ବିଚାର କରିବା ପରେ ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ବିଚାର କରି ପଦକ୍ଷେପ ନେବାକୁ ରାଜ୍ୟ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଗତ ଏପ୍ରିଲ ୫ରେ ରାଜ୍ୟ ସରକାର ଆବେଦନକାରୀଙ୍କ ସ୍ମାରକପତ୍ରକୁ ଖାରଜ କରିଦେଇଥିଲେ । ଏହାପରେ ଆବେଦନକାରୀ ପୁନର୍ବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ରାଜ୍ୟ ସରକାରଙ୍କ ଆଦେଶକୁ ଖାରଜ କରିବା ସହ ଆବେଦନକାରୀଙ୍କୁ ପେନସନ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.