fbpx

‘କୁଆଡେ ଯାଇ ମର’ କହିବା ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ସ୍ୱାମୀଙ୍କ ଚାପୁଡ଼ା ମାରିବା ପରେ ‘କୁଆଡେ ଯାଇ ମର’ କହିଥିବା ପତ୍ନୀଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ, ପରସ୍ପର ଲଢ଼େଇରେ ଏପରି କଥା କହିବା ଆତ୍ମହତ୍ୟାକୁ ଉସୁକାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ ।

ବରନାଲା ନିବାସୀ ପିତା ପୋଲିସକୁ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅର ବିବାହ ୨୨ ମାର୍ଚ୍ଚ ୨୦୧୫ ରେ ହୋଇଥିଲା । ପତ୍ନୀ ସ୍ନାତକ ଥିବା ବେଳେ ତାଙ୍କର ଅଶିକ୍ଷିତ ସ୍ୱାମୀକୁ ନିଜ ସମାନ ବୋଲି ଭାବିନଥିଲେ । ଏହି କାରଣରୁ ଦୁହଁଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଉଥିଲା । ସମୟ ଗଡିବା ସହିତ ଦୁହିଁଙ୍କ ମଧ୍ୟରେ ଝଗଡ଼ା ବଢ଼ିବାରେ ଲାଗଲା । ଅବସ୍ଥା ଏପରି ହୋଇଗଲା ଯେ ପତ୍ନୀ ଯେକୌଣସି ସମୟରେ ଝଗଡା କରି ନିଜ ବାପଘରକୁ ପଳାଉଥିଲେ । ସମ୍ପର୍କ ଯେପରି ନଭାଙ୍ଗୁ, ତାହା ଭାବି ଶଶୁରଘର ଲୋକେ ତାଙ୍କୁ ସବୁବେଳେ ବୁଝାଇ ଫେରାଇ ଆଣୁଥିଲେ ।

ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ, ୨୮ ଜୁନ୍ ୨୦୧୫ ରେ ପୁଅ ଓ ବୋହୂ ମଧ୍ୟରେ ବହୁତ ଝଗଡା ହୋଇଥିଲା । ଏହି ସମୟରେ ବୋହୂ ପୁଅର ଗାଲରେ ଚାପୁଡ଼ା ମାରି କହିଥିଲେ କି, କୁଆଡେ ଯାଇ ମରିଯାଉନ କାହିଁକି । ଏହା ପରେ ପୁଅ ରୁମ ଭିତରକୁ ଯାଇ ଭିତରପଟୁ କବାଟ ବନ୍ଦ କରିଦେଇଥିଲେ । କିଛି ସମୟ ପରେ ରୁମରୁ ଧୁଆଁ ବାହାରିବାରୁ ପଡୋଶୀଙ୍କ ସାହାର୍ଯ୍ୟରେ କବାଟ ଭାଙ୍ଗିଥିଲେ । ଭିତରେ ପୁଅ ନିଜ ଦେହରେ ନିଆଁ ଲଗାଇଦେଇଥିଲା । ତୁରନ୍ତ ପଟିଆଲା ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ମାମଲାରେ ପୋଲିସ ଯାଞ୍ଚ କରିଥିଲା ଏବଂ ତଳ ଅଦାଲତ ବୋହୂକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲଦଣ୍ଡ ଏବଂ ୧.୨୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଦେଇଥିଲେ । ଏହି ଦଣ୍ଡ ଆଦେଶକୁ ବୋହୂ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବୋହୂଙ୍କ ଆବେଦନକୁ ଅନୁମତି ଦେଇଥିବାବେଳେ ହାଇକୋର୍ଟ କହିଛନ୍ତି ଯେ, ଏହି ମାମଲାର ସାକ୍ଷୀ କେବଳ ମୃତକଙ୍କ ପିତାମାତା. ଅନ୍ୟ କେହି ନୁହଁନ୍ତି ।

କୋର୍ଟ କହିଛନ୍ତି ଯେ, ଯଦି ଆବେଦନକାରୀଙ୍କ ବୋହୁ ଚାପୁଡ଼ା ମାରିଥିଲେ ଓ କୁଆଡେ ଯାଇ ମରିଯାଅ ବୋଲି କହିଥିଲେ, ତେବେ ଏହାକୁ ଆତ୍ମହତ୍ୟା ପାଇଁ ଉସୁକାଇବା କୁହାଯିବନି । ହାଇକୋର୍ଟ ବୋହୂର ଦଣ୍ଡକୁ ଖଣ୍ଡନ କରିବା ସହ ଜୋରିମାନା ରାଶିକୁ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.