fbpx

ସହମତିରେ SEX କରିବା ପୂର୍ବରୁ ପାନ୍ ଓ ଆଧାରକାର୍ଡ ଯାଞ୍ଚ କରିବାର ଆବଶ୍ୟକତା ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ସମ୍ମତିଭିତ୍ତିକ ସେକ୍ସ କରିବା ପୂର୍ବରୁ ବ୍ୟକ୍ତିଙ୍କୁ ତାଙ୍କ ସାଥୀଙ୍କ ଜନ୍ମ ତାରିଖ ଯାଞ୍ଚ କରିବା ପାଇଁ ଆଧାର କିମ୍ବା ପ୍ୟାନ କାର୍ଡ ଚେକ୍ କରିବାକୁ ପଡିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ଜଣେ ସନ୍ଦିଗ୍ଧ ହନିଟ୍ରାପ୍ ମାମଲାରେ ଅଭିଯୁକ୍ତକୁ ଜାମିନ୍ ଦେବା ସମୟରେ ଏଭଳି ଟିପ୍ପଣୀ ଦେଇଛନ୍ତି କୋର୍ଟ । ବଳାତ୍କାର ମାମଲାରେ ପୁରୁଷଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରି ଟଙ୍କା ହଡପ କରୁଥିବା ପୀଡିତା ମହିଳା ଜଣେ ଅଭ୍ୟାସଗତ ଅପରାଧୀ କି ନାହିଁ ତାହା ଅନୁସନ୍ଧାନ କରିବାକୁ ଦିଲ୍ଲୀ ପୋଲିସ ମୁଖ୍ୟଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜାମିନ ପ୍ରଦାନ କରୁଥିବାବେଳେ ଦିଲ୍ଲୀ ହାଇକୋର୍ଟର ଜଜ୍ ଜସମିତ ସିଂ କହିଛନ୍ତି ଯେ, ‘ଯେଉଁ ବ୍ୟକ୍ତି ଅନ୍ୟ ଜଣଙ୍କ ସହ ସହମତିରେ ଶାରୀରିକ ସମ୍ପର୍କ ରଖନ୍ତି ସେ ଅନ୍ୟ ଜଣଙ୍କର ଜନ୍ମ ତାରିଖ ଯାଞ୍ଚ କରିବା ଆବଶ୍ୟକ କରନ୍ତି ନାହିଁ । ଶାରୀରିକ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ତାଙ୍କୁ ତାଙ୍କ ସାଥୀଙ୍କ ଆଧାର କାର୍ଡ, ପାନ୍ କାର୍ଡ ଦେଖିବା ଏବଂ ତାଙ୍କ ସ୍କୁଲ ରେକର୍ଡରୁ ଜନ୍ମ ତାରିଖ ଯାଞ୍ଚ କରିବା ଆବଶ୍ୟକ ନାହିଁ ।’ ଏହି ମାମଲାରେ ପୀଡିତା ମହିଳା ଦାବି କରିଛନ୍ତି କି, ଅପରାଧ ସମୟରେ ସେ ନାବାଳିକା ଥିଲେ । ପୂର୍ବରୁ ସହମତି ଭିତ୍ତିରେ ଯୌ ନ ସମ୍ପର୍କ ରଖିବାକୁ ପ୍ରଲୋଭିତ କରାଯାଇଥିଲା, ତା’ପରେ ଅଭିଯୁକ୍ତ ତାଙ୍କୁ ଧମକ ଦେଇ ବଳାତ୍କାର କରିଥିଲେ ।

ଉକ୍ତ ମହିଳାଙ୍କ ବିବୃତ୍ତିରେ କୋର୍ଟ ଅନେକ ଅସଙ୍ଗତି ପାଇଛନ୍ତି । କୋର୍ଟ ଜାଣିବାକୁ ପାଇଛନ୍ତି ଯେ, ଗୋଟିଏ ବର୍ଷ ମଧ୍ୟରେ ମହିଳା ତାଙ୍କ ଆକାଉଣ୍ଟରେ ଅଭିଯୁକ୍ତଙ୍କଠାରୁ ପ୍ରାୟ ୫୦ ଲକ୍ଷ ଟଙ୍କା ନେଇଛନ୍ତି । ଏଫଆଇଆର ଦାଖଲ ହେବାର ଏକ ସପ୍ତାହ ପୂର୍ବରୁ ଏବଂ ଅଭିଯୁକ୍ତଙ୍କ ଉପରେ ପୋକ୍ସୋ ଆକ୍ଟର ଧାରା ଲାଗୁ କରାଯିବାର ଏକ ସପ୍ତାହ ପରେ ଶେଷ କିସ୍ତିର ଟଙ୍କା ଦିଆଯାଇଥିଲା ।

ଜଜ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଦର୍ଶାଇ କହିଛନ୍ତି ଯେ,ଏପରି ମାମଲା ବଢ଼ିବାରେ ଲାଗିଛି, ଯେଉଁଠାରେ ନିରୀହ ଲୋକଙ୍କୁ ଫସାଇ ସେମାନଙ୍କଠାରୁ ବିପୁଳ ପରିମାଣର ଟଙ୍କା ହଡ଼ପ କରାଯାଉଛି । ଜସମିତ ସିଂ ତାଙ୍କ ଆଦେଶରେ ଲେଖିଛନ୍ତି, “ମୋ ମତରେ ଏହି ଘଟଣାରେ ଯାହା ଦେଖାଯାଉଛି, ତା’ଠାରୁ ଅଧିକ ରହିଛି ।’ ମହିଳା ଜଣକ ଦିଲ୍ଲୀରେ ଏପରି କିଛି ମାମଲା ଆଉ କାହା ନାଁରେ ରୁଜୁ କରିଛନ୍ତି କି ନାହିଁ, ତାହାର ଯାଞ୍ଚ କରିବାକୁ ସେ ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୁକ୍ତଙ୍କ ଓକିଲ ଅମିତ ଚଡ୍ଡା କହିଛନ୍ତି ଯେ, ପୀଡିତା ମହିଳାଙ୍କ ୩ଟି ଅଲଗା ଅଲଗା ଜନ୍ମ ତାରିଖ ରହିଛି । ଆଧାର କାର୍ଡ ଅନୁସାରେ, ତାଙ୍କର ଜନ୍ମ ତାରିଖ ୧ ଜାନୁୟାରୀ ୧୯୯୮ ରହିଛି । ଏଥି ସହିତ ପାନ୍ କାର୍ଡରେ ତାଙ୍କର ଜନ୍ମ ତାରିଖ ୨୦୦୪ ହୋଇଥିବାବେଳେ ପୋଲିସ୍ ଯାଞ୍ଚରେ ତାଙ୍କର ଜନ୍ମ ତାରିଖ ୨୦୦୫ ବୋଲି ଜଣାପଡିଛି ।

Get real time updates directly on you device, subscribe now.