fbpx

ବିଶ୍ୱକପ୍ ହକି: ସଞ୍ଜୟ ଓ ହୁଣ୍ଡାଲଙ୍କ ଡବଲ ଗୋଲରେ ହାରିଲା ପୋଲାଣ୍ଡ,ବେଲଜିୟମ ବିପକ୍ଷରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳିବ ଭାରତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନିଜର ଅନ୍ତିମ ଲିଗ ମ୍ୟାଚରେ ଦମଦାର ବିଜୟ ସହିତ ଜୁନିୟର ହକି ବିଶ୍ୱକପ କ୍ୱାର୍ଟରରେ ପ୍ରବେଶ କରିଛି ଭାରତ । ଉପ ଅଧିନାୟକ ସଞ୍ଜୟ, ଅରିଜିତ୍ ସିଂ ହୁଣ୍ଡାଲ ଓ ଚିରମାକୋଙ୍କ ଡବଲ ଗୋଲ ସହାୟତାରେ ଭାରତ ୮-୨ରେ ପୋଲାଣ୍ଡକୁ ପରାସ୍ତ କରିବା ସହିତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ ବେଲଜିୟମର ସାମ୍ନା କରିବ ଦଳ ।

ଅନ୍ତିମ ଲିଗ ମ୍ୟାଚରେ ଉପ ଅଧିନାୟକ ସଞ୍ଜୟ ମ୍ୟାଚର ଚତୁର୍ଥ ମିନିଟରେ ଭାରତ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ । କାନାଡା ବିପକ୍ଷରେ ହ୍ୟାଟ୍ରିକ କରିଥିବା ଅରିଜିତ୍ ମଧ୍ୟ ଏହାର ୪ ମିନିଟ ପରେ ଗୋଲ ସ୍କୋର କରିଥିଲେ । ସୁଦୀପ୍ ଚିର୍ମାକୋ ୨୪ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରି ଦଳକୁ ୩-୦ରେ ଅଗ୍ରଣୀ କରାଇଥିଲେ । ଏହାପରେ ଉତ୍ତମ ସିଂ(୩୪) ଏବଂ ଶାରଦାନନ୍ଦ ତିୱାରୀ(୩୮) ଗୋଟିଏ ଲେଖାଏଁ ଗୋଲ କରି ଦଳକୁ ୫-୦ରେ ଆଗୁଆ କରାଇଥିଲେ । ୪୦ ତମ ମିନିଟରେ ସୁଦୀପ୍ ଚିର୍ମାକୋ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ତେବେ ୫୦ତମ ମିନିଟରେ ୱୋଇଚ୍ ଏବଂ ୫୪ତମ ମିନିଟରେ ରବର୍ଟ ପଲକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ବ୍ୟବଧାନକୁ ୬-୨କୁ ଆଣିଥିଲେ । ସଞ୍ଜୟ(୫୮) ଓ ଅରିଜିତ(୬୦) ଗୋଲ ସ୍କୋର କରିବା ସହିତ ଭାରତକୁ ୮-୨ରେ ବିଜୟୀ କରାଇଥିଲେ । ଆସନ୍ତା ଡିସେମ୍ବର ୧ ତାରିଖରେ ଭାରତ ବେଲଜିୟମ ବିପକ୍ଷରେ କ୍ୱାର୍ଟର ଫାଇନାଲ ମୁକାବିଲା ଖେଳିବ । ଓଡ଼ିଆ ପୁଅ ସୁଦୀପ୍ ଚିର୍ମାକୋଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ମିଳିଛି।

Get real time updates directly on you device, subscribe now.