ନୂଆଦିଲ୍ଲୀ : ହିମାଳୟ କ୍ଷେତ୍ରରେ ଏବେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ବ୍ୟାପକ ଭାବେ ଦେଖିବାକୁ ମିଳୁଛି । ନିକଟରେ ପ୍ରକାଶିତ ଏକ ସରକାରୀ ରିପୋର୍ଟ ଅନୁସାରେ, ଏହି ଅଞ୍ଚଳରେ ୨୦୧୧ରୁ ୨୦୨୪ ଯାଏ ଅର୍ଥାତ୍ ୧୩ ବର୍ଷ ମଧ୍ୟରେ ହିମହ୍ରଦ ଓ ଅନ୍ୟାନ୍ୟ ଜଳ ଉତ୍ସଗୁଡିକର କ୍ଷେତ୍ରଫଳରେ ବୃଦ୍ଧି ଦେଖିବାକୁ ମିଳିଛି ।
୨୦୧୧ରେ ସେଠାରେ ହିମହ୍ରଦ ଓ ଅନ୍ୟ ଜଳଉତ୍ସଗୁଡିକର କ୍ଷେତ୍ରଫଳ ୫,୩୩,୪୦୧ ହେକ୍ଟର ଥିବାବେଳେ ଚଳିତବର୍ଷ ତାହା ୫,୯୧,୧୦୮ ହେକ୍ଟର ଯାଏ ପହଞ୍ଚିଯାଇଛି । ଅର୍ଥାତ୍ ହିମହ୍ରଦର କ୍ଷେତ୍ରଫଳ ପ୍ରାୟ ୧୦.୮୧ ପ୍ରତିଶତ ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି । ହିମାଳୟ ଭଳି ଜବରଦସ୍ତ ଥଣ୍ଡା ଅଞ୍ଚଳରେ ମଧ୍ୟ ବରଫ ତୀବ୍ର ଗତିରେ ତରଳିବା ଆରମ୍ଭ ହୋଇଛି ବୋଲି ଏଥିରୁ ସଙ୍କେତ ମିଳୁଛି । ଚିନ୍ତାର କଥା ହେଲା ଏହି ପରିବର୍ତ୍ତନ ଯୋଗୁ ହ୍ରଦଗୁଡି଼କରେ ଅତ୍ୟଧିକ ପାଣି ଆସିବାରୁ ତଳିଆ ଅଞ୍ଚଳକୁ ବନ୍ୟାର ବିପଦ ବହୁ ପରିମାଣରେ ବୃଦ୍ଧି ହୋଇଛି ।
କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି) ର ରିପୋର୍ଟ ମୁତାବକ, ଭାରତରେ ହିମହ୍ରଦଗୁଡି଼କର କ୍ଷେତ୍ରଫଳରେ ୩୩.୭ ପ୍ରତିଶତ ବୃଦ୍ଧି ହୋଇଛି ଯାହାକି ଖୁବ୍ ଅଧିକ । ୨୦୧୧ରେ ଭାରତରେ ହିମହ୍ରଦଗୁଡ଼ିକର କ୍ଷେତ୍ରଫଳ ୧୯୬୨ ହେକ୍ଟର ଥିଲା । ଚଳିତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ତାହା ୨,୬୨୩ ହେକ୍ଟରକୁ ବୃଦ୍ଧି ପାଇଛି । ଅର୍ଥାତ୍ ହିମହ୍ରଦଗୁଡି଼କର ଆକାର ୩୩.୭ ପ୍ରତିଶତ ବଢ଼ିଛି । ଏହି ରିପୋର୍ଟରେ ଦେଶର ୬୭ଟି ଏଭଳି ହ୍ରଦକୁ ବି ଚିହ୍ନଟ କରାଯାଇଛି ଯାହାର ଆକାର ୪୦ ପ୍ରତିଶତ ଯାଏ ବଢ଼ିଛି । ସେଗୁଡି଼କୁ ବନ୍ୟା ବିପଦ ଦୃଷ୍ଟିରୁ ଅତ୍ୟଧିକ ରିସ୍କଥିବା ବର୍ଗରେ ରଖାଯାଇଛି । ଯେଉଁ ରାଜ୍ୟଗୁଡି଼କରେ ହିମହ୍ରଦର କ୍ଷେତ୍ରଫଳ ସବୁଠୁ ଅଧିକ ବୃଦ୍ଧି ଘଟିଛି ସେଥିମଧ୍ୟରେ ଲଦାଖ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ସାମିଲ ।
ଜଳବାୟୁ ପରିବର୍ତ୍ତନ ଯୋଗୁ ସଂପୃକ୍ତ ଅଞ୍ଚଳରେ ତାପମାତ୍ରାରେ ବୃଦ୍ଧି ଘଟୁଛି । ସେହି କାରଣରୁ ଗ୍ଲେସିୟର ତରଳିବାରୁ ଏହି ସବୁ ହ୍ରଦର ଆକାର ତୀବ୍ର ଗତିରେ ବଢ଼ୁଥିବା କୁହାଯାଉଛି । ଏହାଯୋଗୁ ତଳିଆ ଅଞ୍ଚଳରେ ରହୁଥିବା ଲୋକ, ଭିତ୍ତିଭୂମି ଓ ଜୈବବିବିଧତା ପ୍ରତି ବିପଦ ସୃଷ୍ଟି ହୋଇଛି । ଏଭଳିସ୍ଥିତିରେ ସରକାର ଏହି ଅଞ୍ଚଳରେ ଛୋଟ ହ୍ରଦଗୁଡ଼ିକର ଆକାର ଉପରେ ନଜର ରଖିବା ବି ଜରୁରି ହୋଇପଡ଼ିଛି । ସେହିପରି ଏହି ସମସ୍ୟାର ସମାଧାନ ଲାଗି ତୁରନ୍ତ ସ୍ୱତନ୍ତ୍ର ରଣନୀତି କରିବାର ଆବଶ୍ୟକତା ସଂପର୍କରେ ରିପୋର୍ଟରେ କୁହାଯାଇଛି । ଦୁର୍ଗମ ଅଞ୍ଚଳରେ ଥିବା ଏହି ହ୍ରଦଗୁଡି଼କୁ ଟ୍ରାକିଂ କରାଯିବା ସଂପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସିଡବ୍ଲ୍ୟୁସି ଏଥିଲାଗି ଆଡ୍ଭାନ୍ସ ସାଟେଲାଇଟ୍ ଟେକ୍ନୋଲୋଜି ସେଣ୍ଟିନେଲ୍-୧ ସିନ୍ଥେଟିକ ଆପେରଚର ରାଡାର(ଏସଏଆର୍), ସେଣ୍ଟିନେଲ-୨ ମଲ୍ଟିଟିସ୍ପେକ୍ଟ୍ରାଲ ଇମେଜରି ମୁତୟନ କରିଛି ।
ରିପୋର୍ଟରେ ଭୁଟାନ୍, ନେପାଳ ଓ ଚୀନ୍ ଭଳି ପଡ଼ୋଶୀ ଦେଶରେ ହିମହ୍ରଦର ବିସ୍ତାର ଯୋଗୁ ଉତ୍ପନ୍ନ ସୀମାପାର ରିସ୍କ ସଂପର୍କରେ ମଧ୍ୟ ଆଲୋକପାତ କରାଯାଇଛି । ଏଭଳିସ୍ଥିତିରେ ବନ୍ୟା ବିପଦର ମୁକାବିଲା ଲାଗି ମିଳିତ ଭାବେ ଟ୍ରାକିଂ, ଡାଟା ଶେୟାରିଂ, ବିପର୍ଯ୍ୟୟ ପରିଚାଳନା ରଣନୀତି ଉପରେ କାମ କରିବାକୁ ଆହ୍ୱାନ ଦେଇଛି ସିଡବ୍ଲ୍ୟୁସି । ବନ୍ୟା ବିପଦ ବ୍ୟତୀତ ହିମ ହ୍ରଦର ଆକାର ବଢ଼ିବା ଯୋଗୁ ପ୍ରମୁଖ ନଦୀ ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁର ଜଳ ଉପରେ ପ୍ରଭାବ ପଡ଼ିପାରେ । ଲକ୍ଷ ଲକ୍ଷ ଲୋକ ନିଜର ଜୀବନଧାରଣ ଲାଗି ଏହି ସବୁ ନଦୀ ଉପରେ ନିର୍ଭର କରୁଥିବାରୁ ସେମାନେ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଇଛି ।