fbpx

ହିଣ୍ଡେନବର୍ଗ ମାମଲା: ଆଦାନୀ ଗ୍ରୁପର ଶେୟାରରେ ୭% ପର୍ଯ୍ୟନ୍ତ ହ୍ରାସ

ମୁମ୍ବାଇ: ଆମେରିକୀୟ ଶର୍ଟ ସେଲିଂ ଫାର୍ମ (Short selling firm) ହିଣ୍ଡେନବର୍ଗ(Hindenburg) ମାମଲାରେ ଏକ ନୂତନ ମୋଡ଼ ଦେଖିବାକୁ ମିଳିଛି । ହିଣ୍ଡେନବର୍ଗ ଏହାର ନୂଆ ରିପୋର୍ଟରେ SEBI ଅଧ୍ୟକ୍ଷା ମାଧବୀ ପୁରୀ ବୁଚଙ୍କ ଉପରେ ଅଭିଯୋଗ ଆଣିଛନ୍ତିି । ଆଦାନୀ ଗ୍ରୁପ୍ କମ୍ପାନୀ ଶେୟାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଦାନୀ ଏଣ୍ଟରପ୍ରାଇଜେସ୍‌, ଆଦାନୀ ପାୱାର, ଆଦାନୀ ଗ୍ରୀନ୍ ଏବଂ ଆଦାନୀ ପୋର୍ଟ୍‌ସ ଶେୟାରରେ ହ୍ରାସ ପରିଲିଖିତ ହୋଇଛି । ସପ୍ତାହର ପ୍ରଥମ ଦିନ କାରବାରରେ ଶେୟାରରେ ୭% ହ୍ରାସ ଦେଖିବାକୁ ମିଳିଛି ।

ବାସ୍ତବରେ ହିଣ୍ଡେନବର୍ଗ ଏହାର ଅଭିଯୋଗରେ ଦର୍ଶାଇଛି କି ଆଦାନୀ ଗ୍ରୁପର ବିଦେଶୀ ପାଣ୍ଠିରେ ମାଧବୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶ ରହିଛି । ଉକ୍ତ ପାଣ୍ଠିରେ ଦମ୍ପତ୍ତି ଗୌତମ ଆଦାନୀଙ୍କ ବଡ଼ ଭାଇ ବିନୋଦ ଆଦାନୀଙ୍କ ପରି ଜଟିଳ ଢ଼ାଞ୍ଚା ବ୍ୟବହାର କରି ଟଙ୍କା ବିନିଯୋଗ କରିଥିଲେ । ଅପରପକ୍ଷରେ ମାଧବୀ ଏବଂ ତାଙ୍କ ସ୍ୱାମୀ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛନ୍ତି । ଆଦାନୀ ଏଣ୍ଟରପ୍ରାଇଜେସର ଶେୟାର ମାର୍କେଟ ଖୋଲିବା ପରେ ପ୍ରାରମ୍ଭିକ କାରବାରରେ ୩% ହ୍ରାସ ଦେଖିବାକୁ ମିଳିଥିଲା । ଆଦାନୀ ଗ୍ରୀନ୍ ଶେୟାର ୩%, ଆଦାନୀ ପୋର୍ଟ୍‌ସ ଶେୟାର ୨%ରୁ ଉର୍ଦ୍ଧ୍ୱ ଏବଂ ଆଦାନୀ ପାୱାର ଶେୟାରରେ ୭% ପର୍ଯ୍ୟନ୍ତ ହ୍ରାସ ହୋଇଥିଲା ।

ଅପରପକ୍ଷରେ ସୋମବାର ଘରୋଇ ଶେୟାର ବଜାରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥିଲା । BSE ସେନସେକ୍ସ ୩୭୫.୭୯ ପଏଣ୍ଟ ହ୍ରାସ ସହ ୭୯, ୩୩୦.୧୨ ପଏଣ୍ଟରେ ଖୋଲିଥିଲା । ସେହିପରି NSE ନିଫ୍ଟି ୪୭.୪୫ ପଏଣ୍ଟ ହ୍ରାସ ସହ ୨୪, ୩୨୦.୦୫ ପଏଣ୍ଟରେ ଖୋଲିଥିଲା । ନିବେଶକମାନେ ଭୟଭୀତ ଥିଲେ କି ହିଣ୍ଡେନବର୍ଗ ରିର୍ପୋଟ ଆସିଲା ପରେ ଶେୟାର ବଜାର ଖୋଲିବା ପରେ ତୀବ୍ର ହ୍ରାସ ଦେଖିବାକୁ ମିଳିବ କିନ୍ତିୁ ସେମିତି କିଛି ହୋଇନଥିଲା । ଶେୟାର ବଜାରରେ ଉତ୍ଥାନ ପତନ ଲାଗି ରହିଥାଏ । ଏଭଳି ପରିସ୍ଥିତି ନିବେଶକଙ୍କୁ ସତର୍କ ରହିବା ସହ ଉତ୍ସାହିତ କରିଥାଏ କି ଭବିଷ୍ୟତରେ ଉତ୍ତମ ପରିବେଶ ସୃଷ୍ଟି ହୋଇପାରେ । ଏଥିପାଇଁ ସେମାନଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ ।

Get real time updates directly on you device, subscribe now.