ମହାତ୍ମାଙ୍କ ହତ୍ୟା ଦିବସ ମନେଇଲା ହିନ୍ଦୁ ମହାସଭା: ମଧ୍ୟପ୍ରଦେଶରେ ଗୋଡସେ-ଆପ୍ତେ ସ୍ମୃତି ଦିବସ ପାଳିତ

ନୂଆଦିଲ୍ଳୀ: ଦେଶ ସ୍ୱାଧୀନତାର ମୁଖ୍ୟ ପୁରୋଧା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରିଛି ହିନ୍ଦୁ ମହାସଭା । ଗାନ୍ଧୀଙ୍କ ତିରୋଧାନ ଦିବସରେ ତାଙ୍କର ହତ୍ୟାକାରୀ ନାଥୁରାମ ଗୋଡସେ ଏବଂ ନାରାୟଣ ଆପ୍ତେଙ୍କ ସମ୍ମାନରେ ଏକ କାର୍ଯ୍ୟକ୍ରମ କରିଛି । ଏହି କାର୍ଯ୍ୟକ୍ରମକୁ ଗୋଡସେ-ଆପ୍ତେ ସ୍ମୃତି ଦିବସ ଭାବରେ ପାଳନ କରାଯାଇଥିଲା । ଏହା ସହିତ ନାଥୁରାମ ଗୋଡସେ ଏବଂ ଆପ୍ତେଙ୍କୁ ଭାରତରତ୍ନ ପାଇଁ ମଧ୍ୟ ଦାବି କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଭାରତ ମାତା ସମ୍ମୁଖରେ ଆରତୀ କରାଯାଇଥିଲା ବୋଲି କହିଛନ୍ତି ହିନ୍ଦୁ ମହାସଭାର ଜାତୀୟ ସଭାପତି ଜୟବୀର ଭରଦ୍ୱାଜ । ଏହା ସହିତ ଜାନୁୟାରୀ ୩୦, ୧୯୪୮ରେ ଉଭୟଙ୍କ ଗିରଫଦାରିକୁ ମଧ୍ୟ ନିନ୍ଦା କରାଯାଇଥିଲା । ସମଗ୍ର ଦେଶ ୭୪ ତମ ତିରୋଧାନ ଦିବସରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ହିନ୍ଦୁ ମହାସଭାର ଏହି କାମକୁ ସମସ୍ତେ ନିନ୍ଦା କରିଛନ୍ତି । ସୂଚନାଯୋଗ୍ୟ, ଗୋଡସେ ଏବଂ ନାରାୟଣ ଆପ୍ତେ ୧୫ ନଭେମ୍ବର ୧୯୪୯ ରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ କେନ୍ଦ୍ରୀୟ ଜେଲରେ ଫାଶୀ ପାଇଥିଲେ । ଜାମନଗରର ଜିଲ୍ଲା ପ୍ରଶାସନ ଏହି ଘଟଣାରେ ନୀରବ ରହିଆସିଛି । ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ଏକ ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କ ନାମରେ ବିବାଦୀୟ ବୟାନ ଦେଇଥିଲେ କାଳୀଚରଣ ମହାରାଜ । ବର୍ତ୍ତମାନ କାଳୀଚରଣ ଏବଂ ସଂସ୍ଥାର ଅନ୍ୟ ୪ ଜଣ ଜେଲରେ ରହିଛନ୍ତି ।