fbpx

ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା: ଡିସେମ୍ବର ୪ ପର୍ଯ୍ୟନ୍ତ କଟକରେ ଲାଗିବ ଭିଡ଼

କଟକ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ପ୍ରସିଦ୍ଧ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ବାଲିଯାତ୍ରା ଆରମ୍ଭ ହୋଇ ୮ ଦିନ ପର୍ଯ୍ୟନ୍ତ ଲାଗି ରହିବ । ନଭେମ୍ବର ୨୭ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ମେଳା ଆସନ୍ତ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତେବେ କଟକର ଏହି ବାଲିଯାତ୍ରା ଓଡ଼ିଶାରେ ଐତିହାସିକ ମେଳା ଭାବରେ ପ୍ରସିଦ୍ଧିଲାଭ କରିଛି । ତେବେ ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ଭାବେ ଇତିହାସରେ ନାମ ଲିପିବଦ୍ଧ କରିଛି କଟକର ଏହି ଐତିହାସିକ ବାଲିଯାତ୍ରା । କଟକ ବାଲିଯାତ୍ରା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ସିଲଭର ସିଟିରେ ଲୋକାରଣ୍ୟ ଦେଖିବାକୁ ମିଳିବ । ଆଜିଠୁ ଓଡ଼ିଶାର ସମସ୍ତ ପର୍ଯ୍ୟଟକଙ୍କ ଭିଡ଼ ପାଇଁ କେନ୍ଦ୍ରବିନ୍ଦୁ ପାଲଟିବ କଟକର ବାଲିଯାତ୍ରା ।

ସୂଚନା ଅନୁଯାୟୀ, ଚଳିତବର୍ଷ ବାଲିଯାତ୍ରା ୪୩ ଏକର ଜାଗାରେ ୧୪ ଶହରୁ ଅଧିକ ଷ୍ଟଲ ହେଉଥିବା ବେଳେ ଓରମାସ ପକ୍ଷରୁ ୪ ଶହରୁ ଅଧିକ ଷ୍ଟଲ କରାଯାଇଛି। ବୈଷ୍ଣବ ପାଣି ମଞ୍ଚରେ ଓଲିଉଡ଼ କଳାକାର ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ବଲିଉଡ କଳାକାର କାର୍ୟ୍ୟକ୍ରମ ପରିବେଷଣ କରିବେ। କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି। ଏଥିସହିତ ୩୦ ଫୁଟ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ୍‌, ଲେଜର ଶୋ’ ଆଦି କରାଯାଇଛି। ସେହିପରି ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରି ଧୁଳି ନ ଉଡିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ବେଲଭ୍ୟୁ ଛକ, ବିଡାନାସୀ ପାର୍କିଂ ଆଦି ସ୍ଥାନରୁ ମାଗଣା ବସ ବ୍ୟବସ୍ଥା କରିଛି ପ୍ରଶାସନ। ଅନ୍ୟପଟେ ଚଳିତ ବର୍ଷ ବାଲିଯାତ୍ରାର ବିଶେଷ ଆକର୍ଷଣ ସାଜିବ ରାଜ୍ୟର ପ୍ରଥମଥର ପାଇଁ ହେଉଥିବା ଫିସ୍‌ ଆକ୍ୟୁରମ୍‌ ଟନେଲ।

ତେବେ ଆସନ୍ତାକାଲି ବା ନଭେମ୍ବର ୨୭ ରେ ବାଲିଯାତ୍ରା ଉଦଘାଟନୀ ଉତ୍ସବ ହେବ। ସେହିପରି ଡିସେମ୍ବର ୪ ତାରିଖରେ ଉଦଯାପନୀ ଉତ୍ସବ କରାଯିବ। ପାର୍କିଂ ସ୍ଥାନରୁ ଯାତ୍ରୀ ଯିବା ଆସିବା ପାଇଁ ସ୍ୱତନ୍ତ୍ର ଇ ରିକ୍ସା ରହିବ। ଭିଡ ନିୟନ୍ତ୍ରଣ ପାଇଁ ୪ ଟି ପ୍ରବେଶ ଓ ପ୍ରସ୍ଥାନ ରହିଛି। ସବୁ ଦିନ ସକାଳେ ପଥଉତ୍ସବ ହେବ। ଯାତ୍ରୀଙ୍କ ସୁବିଧା ପଡ଼ିଆ ମଧ୍ୟରେ ୨୫୦ ଟି ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା ହୋଇଛି। ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରା ପାଇଁ କମିଶନରେଟ ପୁଲିସ ପକ୍ଷରୁ ୫୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Get real time updates directly on you device, subscribe now.