କଟକ: ଓଡ଼ିଆ କ୍ୟାଲେଣ୍ଡର ହିସାବରେ କାର୍ତ୍ତିକ ପୂର୍ଣ୍ଣିମା ଦିନରୁ ବାଲିଯାତ୍ରା ଆରମ୍ଭ ହୋଇଥାଏ। କଟକ ଗଡଗଡିଆ ଘାଟରେ ଏହି ଐତିହାସିକ ବାଲିଯାତ୍ରା ପ୍ରତିବର୍ଷ ପାଳିତ ହୋଇଆସୁଛି। ତେବେ ଏହାର ଐତିହ୍ୟ ବାଣିଜ୍ୟ ସହ ଜଡିତ। ପ୍ରାଚୀନ ଉତ୍କଳର କଳା, ସଂସ୍କୃତି, ପରମ୍ପରା, ନୌବାଣିଜ୍ୟ, ସ୍ଥାପତ୍ୟ ଭାସ୍କର୍ଯ୍ୟ ତଥା ଆଧ୍ୟାତ୍ମିକ ଭାବଧାରା ପାଇଁ ଭାରତର ଓଡ଼ିଆ ଜାତି ଆଜି ବିଶ୍ୱ ଇତିହାସରେ ଶୀର୍ଷ ସ୍ଥାନ ମଣ୍ଡନ କରିଛି। ଓଡ଼ିଆ ପୁଅର ବଳିଷ୍ଠ ବୀରତ୍ୱ, ବିପୁଳ ସାହସିକତା, ନିଷ୍ଠାପର କର୍ତ୍ତବ୍ୟ, ଅକ୍ଳାନ୍ତ ପରିଶ୍ରମ ଏହି ସମସ୍ତ ନିପୁଣ ଗୁଣ ଦକ୍ଷତାର ପରିଚୟ ଦେଇଥାଏ।
୨୦୦୦ ବର୍ଷ ପୂର୍ବରୁ ବୀର ସାଧବପୁଅମାନେ ବଙ୍ଗୋପସାଗରର ଜଳରାଶିକୁ ଅତିକ୍ରମ କରି ବ୍ୟବସାୟ ବାଣିଜ୍ୟ କରିବାକୁ ଯାଉଥିଲେ। ଉତ୍କଳର ସୌଦାଗରମାନେ ପାଲଟଣା ବୋଇତ ସାହାଯ୍ୟରେ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ସ୍ୱଦେଶର ହାତୀଦାନ୍ତର ସୂକ୍ଷ୍ମ କାରୁକାର୍ଯ୍ୟ, ପାଟଲୁଗା, ହସ୍ତଶିଳ୍ପର ଘରକରଣା ସାମଗ୍ରୀ ଇତ୍ୟାଦି ପଣ୍ୟଦ୍ରବ୍ୟମାନ ବୋହି ନେଇ ଦରିଆପାରି ଦୂରଦେଶ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ବର୍ମା, ବ୍ରହ୍ମଦେଶ, ଗଙ୍ଗାସାଗର, ସିଂହଳ ଓ ଚୀନ ଆଦି ଦେଶରେ ବିକ୍ରୟ କରୁଥିଲେ ଏବଂ ସ୍ୱଦେଶକୁ ଅଜସ୍ର ଧନ, ରତ୍ନ, ସୁନା, ରୂପା, ମଣିକ୍ୟ, ବୋହି ଆଣିବା ସଂଗେସଂଗେ ଉତ୍କଳର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ମାନଦଣ୍ଡକୁ ସ୍ୱଚ୍ଛଳ କରାଇପାରିଥିଲେ।
ଅତୀତର ସାହସୀ, ଯୋଦ୍ଧା ତଥା ବୀରପୁତ୍ର ସାଧବପୁଅମାନଙ୍କ ମଧ୍ୟରେ ଆଗ୍ରହ ଜନ୍ମାଇବା, ଐଶ୍ୱରୀକ ଶକ୍ତି ପ୍ରାପ୍ତ ଏବଂ ନୌବାଣିଜ୍ୟର ଶୁଭକାମନା କରିବା ପାଇଁ ବହୁ ଆବହମାନ କାଳରୁ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି। ତେବେ ବାଲିଯାତ୍ରା ପର୍ବର ନାମକରଣ କେବେ ଏବଂ କାହିଁକି କରାଗଲା ତାର ସଠିକ ପ୍ରମାଣ ନଥିଲେ ମଧ୍ୟ ବିଭିନ୍ନ ଐତିହାସିକ ଓ ଗବେଷକମାନେ ଭିନ୍ନ ଭିନ୍ନ ମତପୋଷଣ କରିଛନ୍ତି। ସେମାନଙ୍କ କହିବାନୁଯାୟୀ, କାର୍ତ୍ତିକ ମାସ ପୂର୍ଣ୍ଣିମା ଦିନ ଶ୍ରୀଚୈତନ୍ୟ ମହାପ୍ରଭୁ କଟକର ମହାନଦୀ ତଟଦେଶରେ ଥିବା ବାଲୁକା ରାଶି ଉପରେ କୀର୍ତ୍ତନ କରିଥିଲେ। ସେହି ଦିନଠାରୁ ଏହି ପୀଠର ନାମ ଗଡଗଡିଆ ଘାଟ ଏବଂ ଯାତ୍ରାକୁ ବାଲିଯାତ୍ରୀ ଆଖ୍ୟାରେ ନାମିତ କରାଯାଇଛି।
ସାଧବ ଘରର ପୁଅମାନଙ୍କ ଯାତ୍ରାର ଶୁଭାରମ୍ଭ ଓ ପ୍ରତ୍ୟାବର୍ତ୍ତନର ସମୟରେ ସାଧବ ଘରର ବୋହୂମାନେ ସେମାନଙ୍କୁ ବିଦାୟ ଦେବାଲାଗି ବୋଇତକୁ ବନ୍ଦାଇ ଥାଆନ୍ତି। ସେହି ସମୟରେ ପ୍ରଚୀନ ଉତ୍କଳର ଥିବା ନୌବାଣିଜ୍ୟ କେନ୍ଦ୍ର ତଥା ବନ୍ଦରମାନଙ୍କ ମଧ୍ୟରେ କଟକର ଗଡଗଡିଆ ଘାଟର ବନ୍ଦର ବିଶ୍ୱ ପ୍ରସିଦ୍ଧି ଲାଭ କରିଥିଲା। ଅତୀତରେ କଟକ ଓଡ଼ିଶାର ରାଜଧାନୀ ଥିଲା। ତେଣୁ ଏହି ପୀଠର ମହତ୍ୱ ଓ ଗୁରୁତ୍ୱ ଅନ୍ୟ ସମସ୍ତ ପୀଠଠାରୁ ସ୍ୱତନ୍ତ୍ର।