fbpx

Mo Seva Kendraରେ ହେବ HSRP ରେଜିଷ୍ଟ୍ରେସନ ଓ ସ୍ଲଟ୍ ବୁକିଂ, STAର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର ଯାଞ୍ଚ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା । ଯେଉଁମାନେ ଅନଲାଇନ୍ ବୁକିଂ କରିବା ସହ ସ୍ଲିପ ପାଖରେ ରଖିଥିବେ ସେମାନେ ଚେକିଂରୁ ରକ୍ଷା ପାଇପାରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ପରେ ସେପ୍ଟେମ୍ବର ୩୦ ତାରିଖରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ସମୟସୀମାକୁ ମାସେ ବୃଦ୍ଧି କରାଯାଇଥିଲା । ତେବେ ୧, ୨, ୩, ୪ ଶେଷ ଅଙ୍କ ଥିବା ନମ୍ବର ପ୍ଲେଟ୍ ଲଗାଇବା ସମୟସୀମା ଅକ୍ଟୋବର ୩୧ ତାରିଖରେ ସରିବ । ତେଣୁ ଏହିସବୁ ଯାନ ପାଇଁ ପୁଣି ଥରେ ସମୟସୀମା ବୃଦ୍ଧି କରାଯିବ କି ନା ସେନେଇ ଜଣାଇବାକୁ ହାଇକୋର୍ଟ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏଚଏସଆରପି ସଂଯୋଗକୁ ସରଳୀକରଣ କରିବା ପାଇଁ ଏସଟିଏ ନୂଆ ପଦକ୍ଷେପ ନେଇଛି । ‘ମୋ ସେବା କେନ୍ଦ୍ର’ର ଅନଲାଇନ୍ ପୋର୍ଟାଲ siam.in କୁ ଯାଇ ସ୍ଲଟ୍ ବୁକିଂ କରିହେବ । ଓଡ଼ିଶା କମ୍ପ୍ୟୁଟର ଆପିଲିକେସନ ସେଣ୍ଟର (ଓକାକ) ଦ୍ୱାରା ମୋ ସେବା କେନ୍ଦ୍ର ସହ ଏଚଏସଆରପିକୁ ଯୋଡ଼ା ଯାଇଛି । ରାଜ୍ୟର ୩୮ଟି ଆରଟିଓ ଏବଂ ଏଆରଟିଓ ଅଫିସରେ ଗୋଟିଏ ଲେଖାଏଁ ହେଲପ୍ ଡେସ୍କ ଖୋଲା ଯାଇଛି । ହେଲ୍ପ ଡେସ୍କ ଖୋଲିବାକୁ ଗାଡ଼ି ନିର୍ମାତା କମ୍ପାନୀଙ୍କୁ ଏସଟିଏ ପକ୍ଷରୁ କୁହାଯାଇଥିଲା ।

ଏବେ ନୂଆ ନିୟମ ଅନୁଯାୟୀ, ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ମାର୍କ ଓ ରେଜିଷ୍ଟ୍ରେସନ ନମ୍ବର ୧, ୨, ୩ ଓ ୪ରେ ଶେଷ ହେଉଥିବ, ତାହାର ଶେଷ ତାରିଖ ହେଉଛି ଅକ୍ଟୋବର ୩୧ ତାରିଖ । ଶେଷ ଅଙ୍କ ୫, ୬ ଥିବା ଗାଡ଼ିର ଶେଷ ତାରିଖ ହେଉଛି ନଭେମ୍ବର ୩୦ ତାରିଖ । ଶେଷ ଅଙ୍କ ୭, ୮ ଥିବା ଗାଡ଼ିର ଶେଷ ତାରିଖ ହେଉଛି ଡିସେମ୍ବର ୩୧ ତାରିଖ । ଶେଷ ଅଙ୍କ ୯, ୦ ଥିବା ଗାଡ଼ିର ଶେଷ ତାରିଖ ହେଉଛି ୨୦୨୩ ମସିହା ଜାନୁଆରୀ ୩୧ ତାରିଖ । ଏହି ତାରିଖ ମଧ୍ୟରେ ଗାଡ଼ି ମାଲିକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ଅଟେ ।

Get real time updates directly on you device, subscribe now.