ହୁରୁନ ଇଣ୍ଡିଆ ତାଲିକା: ଅଭିନୟରୁ ଦୂରେଇ ଯାଇ ମଧ୍ୟ ଏହି ଅଭିନେତ୍ରୀ ସବୁଠାରୁ ଧନୀ

ମୁମ୍ବାଇ: ବର୍ତ୍ତମାନ ବଲିଉଡର ଯେଉଁ କେତେଜଣ ଆଗଧାଡିର ଓ ଦାମୀ ଅଭିନେତ୍ରୀ ରହିଛନ୍ତି, ସେମାନଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, କାଟରିନା କୈଫଙ୍କ ନାଁ ରହିଛି । ଏମାନେ ସବୁଠାରୁ ଅଧିକ ଡିମାଣ୍ଡିଂ ଓ ଏକ୍ସପେନ୍ସିଭ ଅଭିନେତ୍ରୀ । ହେଲେ ବଲିଉଡରେ ସବୁଠାରୁ ଧନୀ ଅଭିନେତ୍ରୀ କହିଲେ, ୯୦ ଦଶକର ଅଭିନେତ୍ରୀଙ୍କ ନାଁ ଆସେ, ଯିଏ ୩ ଖାନଙ୍କ ସହ ଅଭିନୟ କରିଥିଲେ ।

ତିନି ଖାନଙ୍କ ଅଭିନୟ କରିଥିବା ଏହି ଅଭିନେତ୍ରୀ ଗତ ୧୦ ବର୍ଷରେ କୌଣସି ଗୋଟିଏ ବି ହିଟ ଫିଲ୍ମ ଦେଇ ନାହାନ୍ତି । ଏମିତି କି ୭ ବର୍ଷ ହେଲା ଫିଲ୍ମ ଜଗତଠୁ ଅଲଗା ରହୁଛନ୍ତି, ଗୋଟିଏ ଫିଲ୍ମ ତାଙ୍କର ଦର୍ଶକ ଦେଖିବାକୁ ପାଇ ନାହାନ୍ତି, ହେଲେ ବଲିଉଡର ଯେତେ ଅଭିନେତ୍ରୀ ଅଛନ୍ତି, ସେମାନଙ୍କ ମଧ୍ୟରେ ସେ ସବୁଠାରୁ ଅଧିକ ଧନୀ । ଫିଲ୍ମରୁ ଦୂରେଇ ଯିବା ପରେ ସେ ନିଜ ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟସ୍ତ ।

ହୁରୁନ ଇଣ୍ଡିଆର ୨୦୨୪ ରିପୋର୍ଟ ମୁତାବକ, ଜୁହି ହେଉଛନ୍ତି ବଲିଉଡର ସବୁଠାରୁ ଧନୀ ଅଭିନେତ୍ରୀ ।ତାଙ୍କ ମୋଟ ସମ୍ପତ୍ତି ୪୬୦୦ କୋଟି ଟଙ୍କାର । ଏହି ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ଅଛନ୍ତି, ପୂର୍ବ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚନ । ରାୟଙ୍କ ସମ୍ପତ୍ତିର ମୋଟ ଆକଳନ ୮୫୦ କୋଟି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ତାରିକାରେ ତୃତୀୟ ସ୍ଥାନରେ ପ୍ରିୟଙ୍କା ଚୋପ୍ରା ୬୫୦ କୋଟିର ମାଲିକାଣୀ ।

ଜୁହିଙ୍କ ଏତେ ସମ୍ପତ୍ତି ନିଜ ଅଭିନୟରେ ଯେତିକି ନୁହେଁ, ଅଧିକ ରହିଛି ତାଙ୍କ ବ୍ୟବସାୟରୁ । ସେ ଆଇପିଏଲ ଟିମ କେକେଆରର ସହ ମାଲିକାଣୀ । ସାହରୁଖ ଓ ଗୌରୀ ଖାନଙ୍କ ଫିଲ୍ମ ପ୍ରଡକ୍ସନ ହାଉସ ରେଡ ଚିଲିଜ ଓ ରିଅଲ ଇଷ୍ଟେଟେର ମଧ୍ୟ ଅର୍ଥ ଇନଭେଷ୍ଟ କରିଛନ୍ତି । ତାଙ୍କ ସ୍ୱାମୀ ଜୟ ମୟ ମେହତା ଜଣେ ବ୍ୟବସାୟୀ । ଜୁହିଙ୍କ ଏତେ ମାଲିକାନା ତାଙ୍କ ବିଜନେସ ମେଣ୍ଟାଲିଟି ପାଇଁ ସମ୍ଭବ ହୋଇଥିବା କୁହାଯାଉଛି ।