ମୁମ୍ବାଇ: ସ୍ୱାମୀର ଦୀର୍ଘାୟୁ ପାଇଁ ସ୍ତ୍ରୀଟିଏ କେତେ ଯେ ଓଷା-ଉପାସ କରେ, ତାହା ଗଣିହେବ ନାହିଁ । କିନ୍ତୁ ସେହି ସ୍ୱାମୀ ଯେବେ ତାର ହତ୍ୟାକାରୀ ପାଲଟିଯାଏ, ସେ କାହାକୁ ବା କ’ଣ କହିବ । ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ସ୍ୱାମୀର ଲଜ୍ୟାଜନକ କାମ ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିଛି କି, ରେଳ ଷ୍ଟେସନରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା । ଦୁହିଁଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଥିଲା । ଆଉ ତାପରେ ଚଳନ୍ତା ଟ୍ରେନ୍ ଆଗକୁ ସ୍ତ୍ରୀକୁ ଠେଲି ଦେଇଥିଲା ସ୍ୱାମୀ ।
ଏହାପରେ ବଦଳିଯାଇଥିଲା ସବୁକିଛି । ସାତ ଜନ୍ମର ସାଥିଟେ ହେବା ପାଇଁ ପ୍ରତିଶ୍ରୁତି ଦେଇଥିବା ସ୍ୱାମୀ ଆଜି ସ୍ତ୍ରୀ ହନ୍ତା ପାଲଟିଛି । ପ୍ରଚଣ୍ଡ ରାଗରେ ପିଶାଚ ପାଲଟିଗଲା ସ୍ୱାମୀ । ସୋସିଆଲ ମିଡିଆରେ ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓକୁ ଲୋକେ ଦେଖିଲା ପରେ କହୁଛନ୍ତି ଏମିତି ବି ମଣିଷ ଥାନ୍ତି । ଯିଏ ନିଜ ସ୍ତ୍ରୀକୁ ଟ୍ରେନ୍ ଆଗରେ ଠେଲିଦେଇପାରେ । ଏହି ଘଟଣା ମୁମ୍ବାଇ ନିକଟରେ ଥିବା ଭସାଇ ରେଲୱେ ଷ୍ଟେସନରେ ସୋମବାର ସକାଳ ପ୍ରାୟ ୪ଟା ସମୟରେ ଘଟିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ବା ମୃତକଙ୍କ ସ୍ୱାମୀକୁ ଗିରଫ କରାଯାଇଛି ।
ଭିଡିଓଟି ଦେଖିଲେ ଜଣା ପଡ଼ୁଛି ଯେ, ଜଣେ ବ୍ୟକ୍ତି ଓ ଜଣେ ମହିଳା ରେଳ ଟ୍ରାକ ପାଖରେ କଥା ହେଉଛନ୍ତି । ଆଉ ତାପରେ ଟ୍ରାକରେ ଦ୍ରୁତ ଗତିରେ ଟ୍ରେନ୍ ଆସୁଛି । ହଠାତ ବ୍ୟକ୍ତି ଜଣକ କଥା ହେଉଥିବା ମହିଳାଙ୍କୁ ଠେଲି ନେଇ ସେହି ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ ଆଗରେ ଠେଲି ଦେଉଛନ୍ତିି । ଏହାପରେ ସେହି ପାଖରେ ବସିଥିବା ଦୁଇଜଣ ଶିଶୁଙ୍କୁ ବ୍ୟକ୍ତି ଜଣକ ନେଇ ଦୌଡ଼ି ପଳାଉଛନ୍ତି ।
ତେବେ ଏନେଇ ରେଲୱେ ପୋଲିସ ପାଖରେ ଖବର ପହଞ୍ଚିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଆଉ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଉଭୟ ପୁରୁଷ ଓ ମହିଳା ସମ୍ପର୍କରେ ପତି-ପତ୍ନୀ । କୁନି ଛୁଆ ଦୁଇ ଜଣ ହେଲେ ସେମାନଙ୍କ ସନ୍ତାନ । ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ବା କଥା କଟାକଟିରୁ ସେଠାରେ ବଚସା ହୋଇଥିଲା । ଆଉ ସ୍ୱାମୀ ରାଗି ଯାଇ ସ୍ତ୍ରୀଙ୍କୁ ଟ୍ରେନ୍ ଆଗକୁ ଠେଲି ଦେଇଥିଲେ ।