fbpx
BSKY SKY
BSKY SKY

(Video) ସ୍ୱାମୀ-ସ୍ତ୍ରୀ ଲଢେଇ; ସ୍ତ୍ରୀ ଗୋଟିଏ ଆସନରେ ଶାସକ ଦଳରୁ ପ୍ରାର୍ଥୀ ହେଲେ, ସ୍ୱାମୀ ତାଙ୍କ ବିରୋଧରେ ଠିଆହେଲେ

BSKY

କୋଲକାତା: ରାଜନୀତି ମୈଦାନରେ ସ୍ୱାମୀ-ସ୍ତ୍ରୀ ଟକ୍କର । ସ୍ୱାମୀ ବିରୋଧରେ ଲଢିବେ ସ୍ତ୍ରୀ । ସ୍ତ୍ରୀ ଗୋଟିଏ ଆସନରେ ଶାସକ ଦଳରୁ ପ୍ରାର୍ଥୀ ହେଲେ । ସମାନ ଆସନରେ ସ୍ୱାମୀ ତାଙ୍କ ବିରୋଧରେ ଠିଆହେଲେ । ରାଜନୀତି ମୈଦାନରେ ଦେଖିବାକୁ ମିଳିଛି ଏକ ରୋଚକ ଲଢେଇ । ସ୍ତ୍ରୀ ବିରୋଧରେ ସ୍ୱାମୀ ଦେଇଛନ୍ତି ଯୁଦ୍ଧଂ ଦେହୀ ଡାକରା । ନିଜ ସ୍ତ୍ରୀ ବିରୋଧରେ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛନ୍ତି ସ୍ୱାମୀ । ସ୍ତ୍ରୀ ଗୋଟିଏ ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ସମାନ ଆସନରେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ସ୍ୱାମୀ । ଦୁଇଜଣ ପରସ୍ପରକୁ ପରାସ୍ତ କରିବା ପାଇଁ ସମସ୍ତ ଜୋର ଲଗାଇ ଦେଇଛନ୍ତି । ବିଷ୍ଣୁପୁର ଲୋକସଭା ଆସନରେ ଦେଖିବାକୁ ମିଳିବ ଏହି ସ୍ୱାମୀ-ସ୍ତ୍ରୀ ଲଢେଇ ।

କ୍ଷମତାରେ ଥିବା ଦଳ ପ୍ରଥମେ ସ୍ତ୍ରୀଙ୍କୁ ସାଂସଦ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଦଳ ତାଙ୍କ ବିରୋଧରେ ସେହି ମହିଳାଙ୍କ ସ୍ୱାମୀଙ୍କୁ ସମାନ ଆସନରୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବିଷ୍ଣୁପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ । ସ୍ତ୍ରୀ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବେଳେ ସ୍ୱାମୀ ତାଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ବିଷ୍ଣୁପୁର ଲୋକସଭା ଆସନରେ ଦୁଇ ଦଳରୁ ଉଭୟ ପରସ୍ପର ବିରୋଧରେ ଲଢିବାକୁ ଯାଉଛନ୍ତି । ରାଜ୍ୟରେ କ୍ଷମତାରେ ଥିବା ଟିଏମସି ବିଷ୍ଣୁପୁର ଲୋକସଭା ଆସନରୁ ସ୍ତ୍ରୀ ସୁଜାତା ମଣ୍ଡଳଙ୍କୁ ପ୍ରଥମେ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଆଉ ଏହା ପରେ ବିଜେପି ସେହି ସମାନ ଆସନରୁ ତାଙ୍କ ପୂର୍ବତନ ସ୍ୱାମୀ ସୌମିତ୍ର ଖାନ୍‌ଙ୍କୁ ପ୍ରତିଦ୍ୱନ୍ଦୀ ଭାବେ ପ୍ରାର୍ଥୀ କରିଛି ।

ତେବେ ସୌମିତ୍ର ଖାନ୍ ୧୦ ବର୍ଷ ଧରି ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଆସୁଛନ୍ତି । ଉଭୟ ସ୍ୱାମୀ-ସ୍ତ୍ରୀ ପୂର୍ବରୁ ବିଜେପିରେ ରହିଥିଲେ । ହେଲେ ଏହା ଭିତରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ଯାହା ଫଳରେ ୨୦୨୧ରେ ସୌମିତ୍ର ଓ ସୁଜାତାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । କୁହାଯାଉଥିଲା କି ରାଜନୀତି ପାଇଁ ଉଭୟ ଅଲଗା ହୋଇଯାଇଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ସ୍ୱାମୀ-ସ୍ତ୍ରୀ ଏକାଠି ରହୁଥିବା ବେଳେ ପତ୍ନୀ ସୁଜାତାଙ୍କୁ ଆରମବାଗରୁ ଟିକେଟ୍ ଦେଇଥିଲା ଟିଏମସି । ଆଉ ସେଠାରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ସୁଜାତା । ଏବେ କିନ୍ତୁ ସ୍ୱାମୀଙ୍କ ବିରୋଧରେ ସେ ଲଢେଇ କରିବାକୁ ଯାଉଛନ୍ତି । ସୁଜାତା ୨୦୨୦ ଡିସେମ୍ବରରେ ବରିଷ୍ଠ ନେତା ତଥା ସାଂସଦ ସୌଗତ ରାୟଙ୍କ ଉପସ୍ଥିତିରେ ଟିଏମସିରେ ସାମିଲ ହୋଇଥିଲେ । ଆଉ ବିଜେପି ଛାଡିବା ପରେ ଦଳ ବିରୋଧରେ ବିଷ ଓଗାଳିଥିଲେ ।

ଆଉ ଟିଏମସିରେ ମିଶି ସେ ଭଲ ରାଜନୀତି କରିବାକୁ ଚାହାଁନ୍ତି ବୋଲି କହିଥିଲେ । ଅନ୍ୟପଟେ ସୌମିତ୍ର ୪୩ ବର୍ଷର କମ୍ୟୁନିଷ୍ଟ ଗଡ ଭୁଶୁଡାଇ ୨୦୧୪ରେ ଟିଏମସି ଟିକେଟ୍‌ରେ ବିଷ୍ଣୁପୁରରୁ ପ୍ରାର୍ଥୀ ହୋଇଥିଲେ । ଆଉ ଏହା ପରେ ୨୦୧୯ରେ ବିଜେପି ଟିକେଟ୍‌ରେ ସେ ପୁଣି ବିଜୟୀ ହୋଇଥିଲେ । ଗତ ଥର ଉଭୟ ସ୍ୱାମୀ-ସ୍ତ୍ରୀ ବିଜେପି ପାଇଁ ଭୋଟ୍ ମାଗିଥିବା ବେଳେ ଏଥର ସ୍ୱାମୀ ସେହି ବିଜେପିରୁ ଲଢୁଛନ୍ତି । ହେଲେ ସ୍ତ୍ରୀ କିନ୍ତୁ ତାଙ୍କ ବିରୋଧରେ ଟିଏମସିର ସାଂସଦ ପ୍ରାର୍ଥୀ ହୋଇଛନ୍ତି । ଯାହା ବିଷ୍ଣୁପୁର ଲୋକସଭା ଆସନର ଲଢେଇକୁ ବେଶ୍ ରୋଚକ କରିବା ସହ ଏହି ଆସନରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରୁ କିଏ କାହାକୁ ପରାସ୍ତ କରୁଛି ତା ଉପରେ ପୂରା ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.