ମୁଁ ଭିନ୍ନକ୍ଷମ ନୁହେଁ ମୁଁ ସକ୍ଷମ…କୁରକୁରେ, ଚିପ୍ସ ବିକ୍ରି କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ରବିନ୍ଦ୍ର

ଦିନେ ଖାଉଛି ଦୁଇ ଦିନ ଓପାସ ରହୁଛି...ତଥାପି ମୁଁ ଭିକ ମାଗିବି ନାହିଁ, ସମ୍ମାନର ସହ ବଞ୍ଚିବି ।

ଯାଜପୁର: ହ୍ୱିଲ୍ ଚେୟାରରେ ବସି ବି ସେ ଆଜି ଆତ୍ମନିର୍ଭର । ତାଙ୍କ ଇଚ୍ଛା ଶକ୍ତି ଓ ମନୋବଳ ସାମ୍ନାରେ ହାର ମାନିଛି ଭିନ୍ନକ୍ଷମତା ।

ହ୍ୱିଲ୍ ଚେୟାରରେ କୁରକୁରେ, ଚିପ୍ସ ବିକ୍ରି କରି ଘର ଚଳାଉଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଁସରପୁରରେ ।

ଜାଣନ୍ତୁ ମାମଲା: ବହୁତ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି କୁଆଁସରପୁରର ରବିନ୍ଦ୍ର ବେହେରା । ଦିନେ ଖାଇଲେ ଦୁଇ ଦିନ ଓପାସ ।

ଘରେ ରୋଗିଣୀ ସ୍ତ୍ରୀ । ହ୍ୱିଲ୍ ଚେୟାରରେ ବସି କୁରୁକୁରେ, ଚିପ୍ସ ବିକ୍ରି କରୁଛନ୍ତି । ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ ଓ ସ୍ତ୍ରୀ ପାଇଁ ଔଷଧପତ୍ର ଆଣନ୍ତି ।

କଷ୍ଟ ଦେଉଛି ହ୍ୱିଲ୍ ଚେୟାର: ରବିନ୍ଦ୍ରଙ୍କ ଗୋଡ଼ ଦୁଇଟା ନଷ୍ଟ ହୋଇଯାଇଛି । ଯେଉଁ ହାତରେ ରୋଜଗାର କରୁଥିଲେ ଆଜି ସେଇ ହାତ ସାଇକେଲ ପେଡେଲ ମାରି ମାରି ନଷ୍ଟ ହେବାକୁ ବସିଲାଣି । ତଥାପି ସେ ହାର ମାନି ନାହାନ୍ତି ।

ଭିକ ନ ମାଗି ସମାଜରେ ସମ୍ମାନର ସହ ବଞ୍ଚିବାକୁ ସେ ନିଷ୍ପତି ନେଇଥିଲେ । ଭିନ୍ନକ୍ଷମ ହୋଇବି ସେ ଆଜି ସକ୍ଷମ ।

ସରକାରୀ ସୁବିଧାରୁ ବଞ୍ଜିତ: ସାଇକେଲ ଚଲାଇ ଚଲାଇ ହାତ ଦୁଇଟି ସିଝି ଗଲାଣି । ଏପଟେ ସରକାରୀ ସୁବିଧା କହିଲେ କିଛି ନାହିଁ ।

ଏପର୍ୟ୍ୟନ୍ତ ଭିନ୍ନକ୍ଷମ ଭତ୍ତା ବି ତାଙ୍କୁ ମିଳିନି । ଶେଷରେ ବ୍ୟାଟେରୀ ଗାଡ଼ି ଯୋଗାଇ ଦେବା ପାଇଁ ସେ ହାତ ଯୋଡ଼ି ସରକାରଙ୍କୁ ଗୁହାରି କରିଛନ୍ତି ।
ବ୍ୟାଟେରୀ ଗାଡ଼ି ମିଳିଲେ ସିଏ ଅଧିକ ଦୁଇ ପଇସା ରୋଜଗାର କରିପାରିବେ ଏବଂ ରୋଗିଣୀ ସ୍ତ୍ରୀକୁ ଭଲ କରି ପାରିବେ ।

ଇଚ୍ଛା ଶକ୍ତି ଥିଲେ ବଞ୍ଚିବାର ରହା ଆପେ ଆପେ ଚାଲି ଆସେ । ଆଉ ଏହାର ଜୀବନ୍ତ ଉଦାହରଣ ହୋଉଛନ୍ତି ରବିନ୍ଦ୍ର ।

ଭିକ୍ଷାବୃତ୍ତି ନ କରି ସମ୍ମାନର ସହ ବଞ୍ଚିବା ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ସେ ଅନ୍ୟମାନଙ୍କୁ ପ୍ରେରଣା ଦେଉଛନ୍ତି ।