ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଇଛି । ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର ବିବେଚିତ ହୋଇଛନ୍ତି । ପ୍ରଥମ ଚାରିଟି ସ୍ଥାନରେ ମହିଳା ପ୍ରାର୍ଥୀମାନେ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହାରାଥୀ ଏନ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ର ରହିଛନ୍ତି ।
ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରେ ଲିଖିତ ପରୀକ୍ଷା ଆୟୋଜିତ ହୋଇଥିଲା । ଏହାପରେ ଚଳିତ ବର୍ଷ ଜାନୁଆରୀ- ମେ ମାସ ମଧ୍ୟରେ ସାକ୍ଷାତକାର ଆୟୋଜିତ ହୋଇଥିଲା । ଏହି ପରୀକ୍ଷାରେ ମୋଟ ୯୩୩ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜେନେରାଲ ବର୍ଗର ୩୪୫ ଜଣ, ଇଡବ୍ଲ୍ୟୁଏସ ବର୍ଗର ୯୯ ଜଣ, ଓବିସି ବର୍ଗର ୨୬୩ ଜଣ, ଏସସି ବର୍ଗର ୧୫୪ ଜଣ ଓ ଏସଟି ବର୍ଗର ୭୨ ଜଣ ପ୍ରାର୍ଥୀ ରହିଛନ୍ତି ।
ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ବିଦେଶ ଦେବା (ଆଇଏଫଏସ), ଭାରତୀୟ ପୋଲିସ ସେବା (ଆଇପିଏସ), ଜାତୀୟ ସେବାର ଗ୍ରୁପ-ଏ ଓ ଗ୍ରୁପ-ବି ପଦରେ ନିଯୁକ୍ତି ଦିଆଯିବ । ଏହି ପରୀକ୍ଷାରେ ଓଡ଼ିଆ ଝିଅ କସ୍ତୁରୀ ପଣ୍ଡା ୬୭ତମ ସ୍ଥାନରେ ରହି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।