fbpx

ଆପରେ ମିଶିବେ ଆଇଏଏସ ଅଧିକାରୀ ଅଶୋକ ଖେମକା ? କେଜ୍ରିଓ୍ଵାଲଙ୍କ ସହ ରହିଛି ଭଲ ସଂପର୍କ

ନୂଆଦିଲ୍ଲୀ: ପଞ୍ଜାବରେ ବଡ ବିଜୟ ପରେ ଏବେ ଆମ୍ ଆଦମୀ ପାର୍ଟିର ନଜର ହରିୟାଣା ଉପରେ ରହିଛି। ଅନ୍ୟପଟେ ସର୍ବଦା ଚର୍ଚ୍ଚାରେ ରହି ଆସିଥିବା ଆଇଏଏସ ଅଫିସର ଅଶୋକ ଖେମକାଙ୍କ ଆମ୍ ଆଦମୀ ପାର୍ଟିରେ ଯୋଗ ଦେବାର ମଧ୍ୟ ଚର୍ଚ୍ଚା ହେଉଛି। ଖେମକା ହେଉଛନ୍ତି ସେହି ଆଇଏଏସ ଅଫିସର ଯାହାଙ୍କୁ  ନିଜର 30 ବର୍ଷର କାର୍ଯ୍ୟକାଳରେ 54 ଥର ବଦଳି କରାଯାଇଛି।

ଆମ୍ ଆଦମୀ ପାର୍ଟିର ସୂତ୍ର ଅନୁଯାୟୀ, ଏ ପର୍ଯ୍ୟନ୍ତ ଖେମକା ରାଜନୀତିରୁ ଦୂରରେ ଥିଲେ। ହେଲେ ବର୍ତ୍ତମାନ ସେ ହରିୟାଣାରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ପରାମର୍ଶଦାତା ହୋଇ ପାରିବେ। 2024ରେ ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ନେତା ଏହି ବିଷୟରେ ଟୁଇଟ୍ କରିଛନ୍ତି।

ଅଶୋକ ଖେମକା ଅରବିନ୍ଦ କେଜ୍ରିଓ୍ଵାଲଙ୍କ କଲେଜ୍ ସମୟର ବନ୍ଧୁ। ତେଣୁ କୁହାଯାଉଛି ଯେ, ହରିୟାଣାରେ ଖେମକା ଆମ୍ ଆଦମୀ ପାର୍ଟିକୁ ନୂତନ ଦିଗ ଦେଖାଇବା ଉପରେ କାମ କରି ପାରନ୍ତି। ତେଣୁ ଆପରେ ସାମିଲ୍ ହେବା ପାଇଁ ଖେମକା ଆଇଏଏସ ଅଧିକାରୀ ପଦରୁ ମଧ୍ୟ ଇସ୍ତଫା ଦେଇ ପାରନ୍ତି।

2014ରେ ସାଧାରଣ ନିର୍ବାଚନ ସମୟରେ ଅରବିନ୍ଦ କେଜ୍ରିଓ୍ଵାଲ ଅଶୋକ ଖେମକାଙ୍କୁ ପାର୍ଟିରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ। ସେହି ସମୟରେ ଖେମକା ରାଜନୀତି ପ୍ରତି ରୁଚି ଦେଖାଇନଥିଲେ। କିନ୍ତୁ ସେହି ସମୟଠୁ ନେଇ ଆଜି ପର୍ଯ୍ୟନ୍ତ ପରିଦୃଶ୍ୟରେ ଅନେକ ପରିବର୍ତ୍ତନ ଅାସିଛି। ଖେମକା ଏବଂ କେଜ୍ରିଓ୍ଵାଲ ଆଇଆଇଟି ଖଡଗପୁରରେ ଏକ ସଙ୍ଗେ ପଢୁଥିଲେ।

 

Get real time updates directly on you device, subscribe now.