fbpx

ICC ବାଛିଲା ବିଶ୍ୱକପର ସର୍ବଶ୍ରେଷ୍ଠ Playing-11: ଚମ୍ପିଆନ ଅଧିନାୟକଙ୍କୁ ପଛରେ ପକାଇଲେ ରୋହିତ

Advertisement

ନୂଆଦିଲ୍ଲୀ: ବିଶ୍ୱକପ ଫାଇନାଲରେ ଭାରତକୁ ହରାଇ ଚମ୍ପିଆନ ପାଲଟିଛି ଅଷ୍ଟ୍ରେଲିଆ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆ ଫାଇନାଲ ମ୍ୟାଚରେ ହିଁ ଚାପରେ ରହି ଆଉ ଏକ ଆଇସିସି ଟ୍ରଫି ହାତଛଡ଼ା କରିଛି । ତେବେ ଫାଇନାଲ ସରିବା ପରେ ଆଇସିସି ତରଫରୁ ବିଶ୍ୱକପର ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ-୧୧ ଘୋଷଣା ହୋଇଯାଇଛି । ଏହି ଦଳରେ ୬ ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଥିବା ବେଳେ ଅଧିନାୟକ ପଦ ପାଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଚମ୍ପିଆନ୍ ଦଳର ଅଧିନାୟକ ପାଟ୍ କମିନ୍ସ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି ।

୨୦୨୩ ବିଶ୍ୱକପରେ ସର୍ବଶ୍ରେଷ୍ଠ ପ୍ରର୍ଦାନ କରିଛି ଭାରତୀୟ ଦଳ । ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ବୋଲର ମହମ୍ମଦ ଶାମୀ ପ୍ରତ୍ୟେକ ମ୍ୟାଚରେ ନିଜର ଜଲୱା ଦେଖାଇଛନ୍ତି । କୋହଲି ସର୍ବାଧିକ ରନ୍ କରିଥିବା ବେଳେ ଶାମୀ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ନିଜ ନାମରେ କରିଛନ୍ତି । ତେଣୁ ବିରାଟଙ୍କୁ ଗୋଲ୍ଡେନ ବ୍ୟାଟ୍ ଏବଂ ଶାମୀଙ୍କୁ ଗୋଲ୍ଡେନ ବଲ୍ ପୁରସ୍କାର ମିଳିଛି । ତେବେ ଆଇସିସି ଚୟନ କରିଥିବା ଏହି ପ୍ଲେଇଙ୍ଗ-୧୧ରେ ଟିମ ଇଣ୍ଡିଆର ୬ ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ଚମ୍ପିଆନ୍ ଅଷ୍ଟ୍ରେଲିଆର ୨ ଜଣ ଖେଳାଳି ଏବଂ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକାର ଜଣେ ଲେଖାଏଁ ଖେଳାଳି ଦଳରେ ସାମିଲ ହୋଇଛନ୍ତି । ତେବେ ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ରଚିନ୍ ରବିନ୍ଦ୍ର ଏହି ଦଳରୁ ବାଦ୍ ପଡ଼ିଛନ୍ତି । ଏହାସହିତ ହେନରିକ୍ କ୍ଲାସେନ ଏବଂ ଡାଭିଡ ମିଲରଙ୍କୁ ମଧ୍ୟ ଆଇସିସି ଏହି ଦଳରେ ସାମିଲ କରିନାହିଁ ।

ଆଇସିସିର ସର୍ବଶ୍ରେଷ୍ଠ ଦଳରେ ସାମିଲ ହୋଇଥିବା ୬ ଜଣ ଭାରତୀୟ ଖେଳାଳି ହେଉଛନ୍ତି ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ ରାହୁଲ, ରବିନ୍ଦ୍ର ଜାଡେଜା, ଜଶପ୍ରୀତ ବୁମରାହ ଏବଂ ମହମ୍ମଦ ଶାମୀ । ବିରାଟ କୋହଲି ସର୍ବାଧିକ ରନ୍ (୭୬୫) ରନ୍ କରି ଏହି ସ୍ଥାନ ହାସଲ କରିଥିବା ବେଳେ ଶାମୀ ସର୍ବାଧିକ ୨୪ଟି ୱିକେଟ ନିଜ ନାମରେ କରିଛନ୍ତି । ଏହାବ୍ୟତୀତ ବ୍ୟାଟ ଏବଂ ୱିକେଟ କିପର ଭାବରେ ରାହୁଲ ମଧ୍ୟ ଭଲ ପ୍ରଦର୍ଶନ କରି ଏହି ଦଳରେ ସ୍ତାନ ହାସଲ କରିଛନ୍ତି । ତେବେ ଚମ୍ପିଆନ ହୋଇଥିବା ଅଷ୍ଟ୍ରେଲିଆ ଦଳରୁ ସ୍ଥାନ ପାଇଛନ୍ତି ଷ୍ଟାର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ ଏବଂ ସ୍ପିନର ଆଡାମ୍ ଜାମ୍ପା । ଏହାବ୍ୟତୀତ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ୍, ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ଏବଂ ଶ୍ରୀଲଙ୍କାର ଦିଲଶାନ୍ ମଧୁଶଙ୍କା ଏହି ଦଳରେ ସ୍ଥାନ ପାଇଛନ୍ତି ।

ICC Best Playing-11 Of World Cup-2023: କ୍ୱିଣ୍ଟନ ଡି’କକ୍, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଡାରିଲ ମିଚେଲ, କେ.ଏଲ ରାହୁଲ, ଗ୍ଲେନ ମାକ୍ସୱେଲ, ରବିନ୍ଦ୍ର ଜାଡେଜା, ଜଶପ୍ରୀତ ବୁମରାହ, ଦିଲଶାନ ମଧୁଶଙ୍କା, ଆଡାମ୍ ଜାମ୍ପା ଏବଂ ମହମ୍ମଦ ଶାମୀ ।

Get real time updates directly on you device, subscribe now.