fbpx

ICC Test rankingରେ ଋଷଭ ପନ୍ତ ଏବଂ ଜୋନି ବେୟାରଷ୍ଟୋଙ୍କ କମାଲ୍, ଛଅ ବର୍ଷ ପରେ ଟପ୍-୧୦ରୁ ବାଦ୍ ପଡିଲେ କୋହଲି

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟ ସମାପ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ସଦ୍ୟତମ ଟେଷ୍ଟ ରାଙ୍କିଂ ଜାରି କରିଛି। ଏଥିରେ ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଏବଂ ଇଂଲଣ୍ଡର ଜୋନି ବେୟାରଷ୍ଟୋଙ୍କୁ ଫାଇଦା ମିଳିଛି। ହେଲେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବଡ ଝଟକା ଲାଗିଛି। ପନ୍ତ ଶୀର୍ଷ ୫ରେ ପହଞ୍ଚିଥିବା ବେଳେ ବେୟାରଷ୍ଟୋ ଦୁଇଟି ଶତକ ବଳରେ ୧୩ଟି ସ୍ଥାନ ଉପରକୁ ଉଠି ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି। ୩୨ ବର୍ଷୀୟ ଏହି ବ୍ୟାଟସମ୍ୟାନ ଗତ ତିନୋଟି ଟେଷ୍ଟରେ ଚାରି ଶତକ ସହ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି।

ସଦ୍ୟତମ ମାନ୍ୟତାରେ ବିରାଟ କୋହଲିଙ୍କୁ ଝଟକା ଲାଗିଛି। ଛଅ ବର୍ଷ ପରେ ଟେଷ୍ଟ ମାନ୍ୟତାରେ ପ୍ରଥମ ଥର କୋହଲି ଶୀର୍ଷ ୧୦ରୁ ବାଦ୍ ପଡିଛନ୍ତି। କୋହଲି ନିକଟରେ ସଂପନ୍ନ ଏଜବାଷ୍ଟନ ଟେଷ୍ଟର ଉଭୟ ଇନିଂସରେ ନିରାଶଜନକ ବ୍ୟାଟିଂ କରିଥିଲେ। ସେ ୧୧ ଏବଂ ୨୦ ରନ କରିଥିଲେ। ଲଗାତାର ଖରାପ ଫର୍ମର ପ୍ରଭାବ ତାଙ୍କ ମାନ୍ୟତା ଉପରେ ପଡିବାରେ ଲାଗିଛି। ଅଢେଇ ବର୍ଷ ହେବ ଖରାପ ଫର୍ମ ଦେଇ ଗତି କରୁଥିବା କୋହଲିଙ୍କ ବ୍ୟାଟରୁ ବଡ ଇନିଂସ ଦେଖିବାକୁ ମିଳୁନାହିଁ।

ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସରେ ୧୧୧ ବଲରୁ ୧୪୬ ରନର ଦମଦାର ଇନିଂସ ଖେଳିଥିଲେ। ପୁଣି ଦ୍ଵିତୀୟ ଇନିଂସରେ ସେ ୫୭ ରନ କରିଥିଲେ। ଗତ ଛଅଟି ଟେଷ୍ଟରେ ପନ୍ତ ଦୁଇଟି ଶତକ ଏବଂ ତିନି ଅର୍ଦ୍ଧଶତକ ବଳରେ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ପାରିଛନ୍ତି। ଷଷ୍ଠରୁ ସେ ପଞ୍ଚମ ସ୍ଥାନକୁ ଉଠିଛନ୍ତି।

 

Get real time updates directly on you device, subscribe now.