fbpx

ICMR ବୈଜ୍ଞାନିକଙ୍କ ନୂଆ ଦେଶୀ ଟେକନିକ୍: ଡେଙ୍ଗୁ, ଜୀକା, ମ୍ୟାଲେରିଆ, ଚିକନଗୁନିଆ ସଂକ୍ରମଣ ବୃଦ୍ଧି କରୁଥିବା ମଶା ବଂଶ ସମାପ୍ତ ହେବ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ପୁଣି ଥରେ ସାରା ବିଶ୍ୱରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବୈଜ୍ଞାନିକମାନେ ଏହାଠାରୁ ଭୟଙ୍କର ଅନେକ ଭାଇରସର ସନ୍ଧାନ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଡେଙ୍ଗୁ, ମ୍ୟାଲେରିଆ, ଜୀକା, ଚିକନଗୁନିଆ ପରି ବୀମାରୀର ପ୍ରଭାବ କିଛି କମ୍ ନୁହେଁ । ନିକଟରେ ଡେଙ୍ଗୁରେ ଦେଶରେ ଅନେକ ଲୋକ ସଂକ୍ରମିତ ହୋଇଥିବା ବେଳେ ତାହା ଲୋକଙ୍କର ଚିନ୍ତା ବଢ଼ାଇ ଦେଇଥିଲା ।

ସୂଚନା ମୁତାବକ, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଏକ ନୂଆ ଘରୋଇ ଟେକନିକ୍ ବାହାର କରାଯାଇଛି । ଏହି ଟେକନିକ୍ ଡେଙ୍ଗୁ, ଜୀକା, ମ୍ୟାଲେରିଆ, ଚିକନଗୁନିଆ ସଂକ୍ରମଣ ବୃଦ୍ଧି କରାଉଥିବା ମଶା ବଂଶକୁ ଧ୍ୱଂସ କରିବାରେ ସହାୟକ ହେବ । ଫଳରେ ପ୍ରତ୍ୟେକ ବର୍ଷ ମଶାଜନିତ ରୋଗରେ ସଂକ୍ରମିତ ହେଉଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଏଥିରୁ ତ୍ରାହି ମିଳି ପାରିବ । ଏହାଦ୍ୱାରା ଭାରତର ମଶାଜନିତ ରୋଗ ବିରୋଧୀ ଲଢ଼େଇ ଅଧିକ ଶକ୍ତିଶାଳୀ ହୋଇପାରିବ ।

ହି ଟେକନିକକୁ ଦେଶର ଅଧିକାଂଶ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଘରୋଇ କମ୍ପାନୀଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଛି । ଡେଙ୍ଗୁ, ଜୀକା, ମ୍ୟାଲେରିଆ ଓ ଚିକନଗୁନିଆ ପରି ରୋଗକୁ ରୋକିବା ପାଇଁ ବେସିଲସ ଥୁରିଙ୍ଗଏନ୍ସିସ ଇଜ୍ରାଇଲେନ୍ସିସର ଉତ୍ପାଦନ ପାଇଁ ନୂଆ କୌଶଳର ବିକାଶ କରାଯାଇଛି । ଏହା ହେଉଛି ଏକପ୍ରକାରର ବ୍ୟାକ୍ଟେରିଆ । ଏହା ଅନ୍ୟ ପଶୁଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ମଶା ଓ ବ୍ଲାକ ଫଲାଇ ଲାର୍ଭାକୁ ମାରିଥାଏ ବୋଲି ପ୍ରସ୍ତାବରେ କୁହାଯାଇଛି ।

ଆଇସିଏମଆର ମୁତାବକ, ଏହି କୌଶଳ ଅନ୍ୟ ଜୀବଜନ୍ତୁ ଓ ପରିବେଶ ପାଇଁ ସୁରକ୍ଷିତ ଅଟେ । ଏହି ଟେକନିକକୁ କେନ୍ଦ୍ରୀୟ କୀଟନାଶକ ବୋର୍ଡ (ସିଆଇବି) ପକ୍ଷରୁ ‘ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଷ୍ଟ୍ରେନ’ ଭାବେ ନାମିତ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମୁତାବକ, ପ୍ରତ୍ୟେକ ବର୍ଷ ମଶାଜନିତ ରୋଗ କାରଣରୁ ପାଖାପାଖି ୭ ଲକ୍ଷରୁ ଅଧିକ ଲୋକ ସାରା ବିଶ୍ୱରେ ମୃତ୍ୟୁବରଣ କରୁଛନ୍ତି । ଏହି ସଂଖ୍ୟା ଭାରତରେ ଅଧିକ ରହିଛି । ମଶାଜନିତ ରୋଗ ଦ୍ୱାରା ଭାରତରେ ପ୍ରତ୍ୟେକ ବର୍ଷ ୫ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳଳୟ ପକ୍ଷରୁ କୁହାଯାଇଛି । ଏଥିସହିତ ଲକ୍ଷ ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇଥାନ୍ତି ।

Get real time updates directly on you device, subscribe now.