fbpx

ICMR ପରୀକ୍ଷା ସଫଳ: ଆଗକୁ ଦେଶର କୋଣ ଅନୁକୋଣରେ ଡ୍ରୋନ ପହଞ୍ଚାଇବ ରକ୍ତ ବ୍ୟାଗ୍

ନୂଆଦିଲ୍ଲୀ: ମଣିଷ ପାଇଁ ରକ୍ତ ନିହାତି ଜରୁରୀ । ରକ୍ତ ଅଭାବରୁ ଅନେକ ସମୟରେ କିଛି ରୋଗୀ ମୃତ୍ୟୁବରଣ କରିଥାନ୍ତି । ସେଥିପାଇଁ ରକ୍ତଦାନ କରିବାକୁ ସରକାର ପ୍ରୋତ୍ସାହନ ଦେଇଥାନ୍ତି । ଜଣଙ୍କର ରକ୍ତ ଯଦି ଅନ୍ୟ କାହାର ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିଲା ତା’ଠାରୁ ଆଉ କିଛି ପୂଣ୍ୟ କାର୍ଯ୍ୟ ନାହିଁ ବୋଲି କୁହାଯାଏ । ତେବେ ଖୁବଶୀଘ୍ର ସାରା ଦେଶର କୋଣ ଅନୁକୋଣରେ ଡ୍ରୋନ ରକ୍ତ ପହଞ୍ଚାଇବ ।

ଏହି ବ୍ୟବସ୍ଥା ଫଳରେ ରୋଗୀ ପାଖରେ କମ୍ ସମୟରେ ରକ୍ତ ପହଞ୍ଚିବା ସମ୍ଭବ ହୋଇପାରିବ । ଫଳରେ ରୋଗୀର ଜୀବନ ବଞ୍ଚାଇବାରେ ଡ୍ରୋନ ସହାୟକ ହୋଇ ପାରିବ । ନିକଟରେ ଭାରତୀୟ ମେଡିକାଲ ଗବେଷଣା ପରିଷଦ (ଆଇସିଏମଆର) ନିଜର ଆଇ-ଡ୍ରୋନ ମାଧ୍ୟମରେ ବ୍ଲଡ ବ୍ୟାଗର ପରୀକ୍ଷଣ ସଫଳତାର ସହିତ ସମାପ୍ତ କରିଛି । ଆଇସିଏମଆର ସର୍ବପ୍ରଥମେ ଦୂରଦୂରାନ୍ତ ଅଞ୍ଚଳରେ କୋଭିଡ-୧୯ ଟିକା ପହଞ୍ଚାଇବା ପାଇଁ ଆଇ-ଡ୍ରୋନର ଉପଯୋଗ କରିଥିଲା ।

ତେବେ ଡ୍ରୋନରେ ରକ୍ତ ଯୋଗାଣ କରିବା ସମୟରେ ରକ୍ତକୁ କମ୍ ତାପମାତ୍ରାରେ ରଖିବା ଉପରେ ନଜର ଦିଆଯାଉଛି । ରକ୍ତର ଯେପରି କୌଣସି କ୍ଷତି ନହେବ ସେଥିପାଇଁ ମଧ୍ୟ ଗୁରୁତ୍ୱ ଦିଅଯାଉଛି । ଗୋଟିଏ ଆମ୍ବୁଲାନ୍ସ ଜରିଆରେ ଆଉ ଗୋଟିଏ ନମୂନା ପଠାଯାଇଛି । ଯଦି ଦୁଇଟି ତରିକାରେ ପଠାଯାଇଥିବା ନମୂନାର ପ୍ରୟୋଗ କଲା ପରେ କୌଣସି ଅନ୍ତର ଦେଖା ନଦିଏ ତେବେ ସାରା ଭାରତବର୍ଷରେ ଡ୍ରୋନର ବ୍ୟବହରା କରାଯିବ ବୋଲି ଆଇସିଏମଆର ମହାନିର୍ଦ୍ଦେଶକ କହିଛନ୍ତି ।

Get real time updates directly on you device, subscribe now.