ଡାକ ଟିକେଟରେ ପ୍ରଭୁ ରାମଲଲାଙ୍କ ପ୍ରତିମା: ଜାରି ହେଲା ସ୍ୱତନ୍ତ୍ର ପୋଷ୍ଟାଲ ଷ୍ଟାମ୍ପ…

ଓଡ଼ିଶା ଭାସ୍କର: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ରାମଲଲାଙ୍କୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ଦେଶର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳୁଛି କୋଟି କୋଟି ଶ୍ରଦ୍ଧାଳୁଙ୍କ ଭକ୍ତି । ତେବେ କେବଳ ଭାରତ ନୁହେଁ, ଦେଶ ବାହାରେ ମଧ୍ୟ ରାମଲଲାଙ୍କ ପ୍ରତି ଭକ୍ତିଭାବ ଦେଖାଯାଇଛି । ବର୍ତ୍ତମାନ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି, ଯାହା ଏବେ ଖୁବ ଭାଇରାଲ ହେଉଛି । ଏହି ପୋଷ୍ଟରେ ଏକ ଡାକ ଟିକେଟରେ ରାମଲଲାଙ୍କ ପ୍ରତିମାକୁ ସ୍ଥାନ ଦିଆ ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଦକ୍ଷିଣ-ପୂର୍ବ ଏସିଆର ଲାଓସ ଅଯୋଧ୍ୟାର ଶ୍ରୀ ରାମଲଲାଙ୍କ ଉପରେ ଏକ ଡାକ ଟିକେଟ ଜାରି କରିଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ଲାଓସ ଗସ୍ତରେ ଥିବା ବେଳେ ଏହାକୁ ନେଇ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ରାମାୟଣ ଏବଂ ବୌଦ୍ଧ ଧର୍ମରେ ଆମର ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର ଟିକେଟ ସେଟ୍ ଲଞ୍ଚ୍ କରାଯାଇଛି । ଏସିଆନ୍-ଭାରତ ମନ୍ତ୍ରୀସ୍ତରୀୟ ସମ୍ମେଳନ, ପୂର୍ବ ଏସିଆ ଶିଖର ସମ୍ମେଳନର ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଏବଂ ଏସିଆନ କ୍ଷେତ୍ରୀୟ ମଞ୍ଚର ବୈଠକ ପାଇଁ ଭିୟନତିଏନ ଗସ୍ତରେ ଅଛନ୍ତି ଜୟଶଙ୍କର । ବୌଦ୍ଧ ଧର୍ମ ପାଇଁ ଦୀର୍ଘ ବର୍ଷରୁ ଭାରତ ଏବଂ ଲାଓସ ମଧ୍ୟରେ ଖୁବ ଭଲ ସମ୍ପର୍କ ରହିଛି । ତେବେ ଲାଓସ କେବଳ ରାମଲଲାଙ୍କ ପ୍ରତିମା ନୁହେଁ, ବରଂ ମହାତ୍ମା ବୁଦ୍ଧଙ୍କ ପ୍ରତିମାକୁ ମଧ୍ୟ ଡାକ ଟିକେଟରେ ସ୍ଥାନ ଦେଇଛି ।

ଭଗବାନ ଶ୍ରୀରାମଙ୍କ ବାଲ୍ୟବସ୍ଥାକୁ ଦେଖାଇବା ପାଇଁ ଅଯୋଧ୍ୟରେ ରାମଲଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି । ଏହାପରେ ବର୍ତ୍ତମାନ ଏହି ରାମ ମନ୍ଦିର ସାରା ଭାରତ ପାଇଁ ଏକ ପର୍ଯ୍ୟଟନ ସ୍ଥଳୀ ପାଲଟି ଯାଇଛି । ତେବେ ଜୟଙ୍କରଙ୍କ ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରୁଥିବାର ଦେଖାଯାଇଛି ।