fbpx

ବିବାହିତ ପୁରୁଷ ଅନ୍ୟ ମହିଳାଙ୍କୁ ବିବାହ ନ କରି ଏକତ୍ର ରୁହନ୍ତି, ତେବେ ତାହା ଦ୍ୱିତୀୟ ବିବାହର ଅପରାଧ ହେବନି : ହାଇକୋର୍ଟ

ଜୟପୁର: ଯଦି ଜଣେ ବିବାହିତ ପୁରୁଷ ଅନ୍ୟ ମହିଳାଙ୍କୁ ବିବାହ ନ କରି ତାଙ୍କ ସହିତ ଏକତ୍ର ରହନ୍ତି ତେବେ ତାହା ଦ୍ୱିତୀୟ ବିବାହର ଅପରାଧ ହେବ ନାହିଁ । ରାଜସ୍ଥାନ ହାଇକୋର୍ଟ ନିକଟରେ ଏହି ରାୟ ଦେଇଛନ୍ତି । ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବାରୁ ତାଙ୍କ ବିରୋଧରେ ତାଙ୍କର ପତ୍ନୀ ଦ୍ୱିତୀୟ ବିବାହ ଅପରାଧର ଅଭିଯୋଗ ଆଣିଥିଲେ । ସେହି ମାମଲାର ଶୁଣାଣି କରି ଜଷ୍ଟିସ୍ କୁଲଦୀପ ମାଥୁର ମେ ୭ ଏହି ଟିପ୍ପଣୀ ଦେଇଥିଲେ ।

ଜଷ୍ଟିସ୍ ମାଥୁର କହିଥିଲେ, ଯଦି କେହି ପୁରୁଷ କିମ୍ବା ମହିଳା ନିଜର ପତ୍ନୀ/ସ୍ୱାମୀଙ୍କ ଜୀବିତାବସ୍ଥାରେ ଦ୍ୱିତୀୟ ବିବାହ କରନ୍ତି ତା’ହେଲେ ଆଇପିସିର ଧାରା ୪୯୪ ଅନୁସାରେ ତାହା ଦଣ୍ଡନୀୟ ଅପରାଧ ହେବ । କିନ୍ତୁ ବର୍ତ୍ତମାନ ଥିବା ଆଇନ ଅନୁସାରେ ଯଦି କେହି ପୁରୁଷ ଓ ମହିଳା ବୈଧ ବିବାହ କରିନାହାନ୍ତି ତା’ହେଲେ କେବଳ ପତି-ପତ୍ନୀ ଭାବେ ଏକାଠି ରହିଲେ ଆଇପିସିର ଧାରା ୪୯୪ ଅନୁସାରେ ତାହା ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ନାହିଁ । ଏହି ମାମଲାରେ ବ୍ୟକ୍ତିଜଣକ ଦ୍ୱିତୀୟ ବିବାହ କରିଥିବାର କୌଣସି ପ୍ରମାଣ ମିଳୁନାହିଁ ।

ସୂଚନାଥାଉକି, ବ୍ୟକ୍ତିଙ୍କର ପତ୍ନୀ ତାଙ୍କ ବିରୋଧରେ ଦ୍ୱିତୀୟ ବିବାହ, କ୍ରୁରତା ଓ ଅନ୍ୟ ଅଭିଯୋଗ ଆଣିଥିଲେ । ଟ୍ରାଏଲ କୋର୍ଟ ସେହି ଅଭିଯୋଗର ଶୁଣାଣି କରି ତାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଥିଲେ । ପରେ ବ୍ୟକ୍ତିଜଣକ ଟ୍ରାଏଲ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ।

Get real time updates directly on you device, subscribe now.