fbpx

ଅନ୍ୟ ଧର୍ମରେ ବାହାହେଲେ ବୈବାହିକ ଜୀବନରେ ହସ୍ତକ୍ଷେପ କରିପାରିବେନି ପରିବାର ସଦସ୍ୟ : ହାଇକୋର୍ଟ

ଆହ୍ଲାବାଦ: ଅନ୍ୟ ଧର୍ମରେ ବାହାହେଉଥିବା ଯୁବକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏକ ଆବେଦନର ଶୁଣାଣି ପରେ ହାଇକୋର୍ଟ କହିଛନ୍ତି ଯେ, ୨ଟି ଅଲଗା ଅଲଗା ଧର୍ମରେ ଯଦି ବାହାଘର ହୁଏ, ତେବେ ସେମାନଙ୍କ ବୈବାହିକ ଜୀବନରେ ହସ୍ତକ୍ଷେପ କରିବାର ଅଧିକାର ମାତା-ପିତାଙ୍କର ନାହିଁ ।

କୋର୍ଟ ନିଜ ନିଷ୍ପତ୍ତିରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି କେହି ଅନ୍ୟ ଧର୍ମରେ ବିବାହ କରେ, ତେବେ ସେମାନଙ୍କ ବୈବାହିକ ଜୀବନରେ କେହି ବି ହସ୍ତକ୍ଷେପ କରିପାରିବେ ନାହିଁ । ଯଦି ସେମାନେ ପୋଲିସ ସୁରକ୍ଷାର ଦାବି କରନ୍ତି, ତେବେ ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଇବ ।

ସୂଚନା ମୁତାବକ, ଶିଫା ହସନ ନାମକ ଜଣେ ମୁସଲମାନ ମହିଳା ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିଥିଲେ ଓ ପରେ ସେ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମତି ମାଗିଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ ଏ ସମ୍ପର୍କରେ ପୋଲିସ ଷ୍ଟେସନରୁ ରିପୋର୍ଟ ମାଗିଥିଲେ । ଏହା ଉପରେ ପୋଲିସ ସୂଚନା ଦେଇଥିଲା ଯେ ଯୁବକର ବାପା ଏହି ବିବାହରେ ରାଜି ନୁହଁନ୍ତି ଓ ଅନ୍ୟପଟେ ଝିଅର ପରିବାର ସଦସ୍ୟ ମଧ୍ୟ ଏହାକୁ ବିରୋଧ କରୁଛନ୍ତି ।

ଏହା ପରେ ଶିଫ୍ ନିଜର ଓ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଅନୁଭବ କରିଥିଲେ । ଏହି ମାମଲାରେ ସେ କୋର୍ଟରେ ଯାଚିକା ଦାୟର କରି ନ୍ୟାୟ ମାଗିଥିଲେ । ଏହି ମାମଲାରେ କାହାରି ହସ୍ତକ୍ଷେପ ନକରିବା ଏବଂ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇଦେବା ପାଇଁ କୋର୍ଟ ଏକ ଆଦେଶ ଦେଇଛନ୍ତି । ଏହି ସମୟରେ କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଜଣେ ବୟସ୍କ ବ୍ୟକ୍ତି ଜୀବନକୁ ନିଜ ଇଛାରେ ବଞ୍ଚିବାର ସମସ୍ତ ଅଧିକାର ପାଇଛନ୍ତି ଓ ଏଥିରେ କେହି ହସ୍ତକ୍ଷେପ କରିପାରିବେ ନାହିଁ ।

Get real time updates directly on you device, subscribe now.