‘ଯଦି ପତ୍ନୀ ଜିଦ୍ କରନ୍ତି, ତେବେ ସ୍ୱାମୀ ତାଙ୍କ ସହ ୩ଦିନ ଯାଏଁ ଶୁଅନ୍ତୁ ନାହିଁ, ପିଟନ୍ତୁ’-ପୁରୁଷଙ୍କୁ ଏପରି ପରାମର୍ଶ ଦେଇ ବିବାଦରେ ମହିଳା ମନ୍ତ୍ରୀ

ମାଲେସିୟା: ବିବାହିତ ପୁରୁଷଙ୍କୁ ପରାମର୍ଶ ଦେଇ ଏବେ ଅଡ଼ୁଆରେ ମହିଳା ମନ୍ତ୍ରୀ । ତାଙ୍କ ଉପରେ ଏବେ ଘରୋଇ ହିଂସାକୁ ପ୍ରଶୟ ଦେବାର ଅଭିଯୋଗ ଅଣାଯାଇଛି । ନିଜର ଅଜବ ପରାମର୍ଶକୁ ନେଇ ଏବେ ସେ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଅସଲରେ ସେ କହିଥିଲେ ଯେ, ଯଦି ପତ୍ନୀ ଜିଦ୍ କରେ କିମ୍ବା ଜିଦ୍ ରେ ଅଡ଼ି ବସେ ତାହେଲେ ସ୍ୱାମୀ ତାଙ୍କ ସହ ୩ ଦିନ ଯାଏଁ ଶୁଅନ୍ତୁ ନାହିଁ । ଖାଲି ସେତିକି ନୁହେଁ ସେ ଆହୁରି ବି କହିଛନ୍ତି ଯେ, ଏପରି ଜିଦ୍ କଲେ ପତ୍ନୀଙ୍କୁ ମାଡ଼ ମାରିବା ଦରକାର, ଯାହାଫଳରେ ପତ୍ନୀ ମାନଙ୍କୁ ତାଗିଦ୍ କରାଯାଇପାରିବ ।

ଡେଲି ମେଲ୍ ର ଏକ ରିପୋର୍ଟ ମୁତାବକ, ମହିଳା, ପରିବାର ଓ ସାମ୍ପ୍ରଦାୟିକ ବିକାଶର ଉପମନ୍ତ୍ରୀ ସିତୀ ଜୈଲା ମହମ୍ମଦ୍ ୟୁସୋଫ୍ ଏବେ ବିବାଦରେ ଫସିଛନ୍ତି । ଲୋକମାନେ ଏବେ ତାଙ୍କୁ ଜୋରଦାର୍ ବିରୋଧ କରିବାରେ ଲାଗିଛନ୍ତି । ଲୋକଙ୍କ କହିବା କଥା ଯେ, ମନ୍ତ୍ରୀ ପୁରୁଷ ମାନଙ୍କ ନିଜ ପତ୍ନୀଙ୍କୁ ମାଡ଼ ମାରିବା କଥା କହି ଘରୋଇ ହିଂସାକୁ ପ୍ରଶୟ ଦେଉଛନ୍ତି । ତେବେ ମହିଳା ମନ୍ତ୍ରୀ ନିଜ ଇନଷ୍ଟାଗ୍ରାମରେ ଦୁଇମିନିଟ୍ ର ଏକ ଭିଡିଓ ପୋଷ୍ଟ୍ କରିଛନ୍ତି, ଯାହାକୁ ସେ ମଦର୍ ଟିପ୍ସ ବୋଲି ନାମ ଦେଇଛନ୍ତି ।

ଏହି ଭିଡିଓରେ ସେ ସ୍ୱାମୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ନିଜର ଜିଦିଆ ପତ୍ନୀଙ୍କ ସହିତ କଥା ହୋଇ ତାଙ୍କୁ ତାଗିଦ୍ କରନ୍ତୁ । ତାପରେ ଯଦି ପତ୍ନୀ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣୁନାହାନ୍ତି ତାହେଲେ ସ୍ୱାମୀ ତିନି ଦିନ ପର୍ଯ୍ୟନ୍ତ ତାଙ୍କ ପାଖରେ ଶୁଅନ୍ତୁ ନାହିଁ । ଆଉ ଏହା ପରେ ଯଦି ପତ୍ନୀ ବଦଳୁନାହାନ୍ତି ତାହେଲେ କଡ଼ା ପଦକ୍ଷେପ ଗ୍ରହଣ କରନ୍ତୁ । ସ୍ତ୍ରୀ ମାନଙ୍କୁ ମାଡ଼ ମାରନ୍ତୁ ।

ସୂଚନା ଯେ, ମନ୍ତ୍ରୀ ଜୈଲା ମହମ୍ମଦ୍ ୟୁସୋଫ ହେଉଛନ୍ତି ପାନ୍ ମାଲେସିଆନ୍ ଇସଲାମିକ୍ ପାର୍ଟିର ସାଂସଦ । ସେ ମହିଳାମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ଯଦି ନିଜ ସ୍ୱାମୀ ମାନଙ୍କର ହୃଦୟ ଜିତିବାକୁ ଚାହୁଁଛନ୍ତି ତାହେଲେ ତାଙ୍କ ଅନୁମତି ମିଳିବା ପରେ ହିଁ କିଛି କରନ୍ତୁ । ସେ ଆଗକୁ କହିଛନ୍ତି ଯେ,ସ୍ୱାମୀ ମାନେ ଯେତେବେଳେ ଶାନ୍ତ ଥିବେ, ଖାଇବା ସରିସାରିଥିବ ଏବଂ ସେ ଆରାମ କରୁଥିବେ ସେହି ସମୟରେ କୌଣସି କାମ ପାଇଁ ଅନୁମତି ମାଗନ୍ତୁ ।

ତେବେ ତାଙ୍କର ଏହି କଥାକୁ କିଛି ଜଣ ସହଜରେ ଗ୍ରହଣ କରିପାରିନଥିଲେ । ଏହା ବି ଏକ ବିବାଦୀୟ ମନ୍ତବ୍ୟ ହୋଇଯାଇଥିଲା । ଅନେକ ମହିଳା ଅଧିକାର ଆକ୍ଟିଭିଷ୍ଟ୍ ସଂଘ ଏହାକୁ ବିରୋଧ କରିଥିଲେ । ବର୍ତ୍ତମାନ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ ହେବାରେ ଲାଗିଛି ।