fbpx

IIT Roorkee ଆବିଷ୍କାର କଲା ଏକ Antibacterial Molecule: ସଫ୍ଟ ଓ ସ୍କିନ ଟିସୁ ସଂକ୍ରମଣର ଚିକିତ୍ସା କ୍ଷେତ୍ରରେ ମିଳିବ ନୂଆ ରାସ୍ତା

ନୂଆଦିଲ୍ଲୀ: ଦିନକୁ ଦିନ ପରିବେଶ ବଦଳିବା ସହିତ ମଣିଷକୁ ନୂଆ ନୂଆ ରୋଗ ସହିତ ଲଢ଼େଇ କରିବାକୁ ପଡ଼ୁଛି । ଏପରିକି ଅନେକ ସମୟରେ ଆମ ଶରୀରରେ ମେଡିସିନ ମଧ୍ୟ ପ୍ରଭାବହୀନ ପାଲଟି ଯାଇଥାଏ । ତେବେ ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବୈଜ୍ଞାନିକମାନେ ଏକ ନୂଆ ସଫଳତା ହାସଲ କରିଛନ୍ତି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ରୁରକୀର ଗବେଷକମାନେ ଏକ ନୂଆ ମଲିକ୍ୟୁଲ ଆବିଷ୍କାର କରିଛନ୍ତି । ଏହ ମଲିକ୍ୟୁଲ ସହାୟତାରେ ଭୟଙ୍କର ସଂକ୍ରମଣକୁ ବିନାଶ କରାଯାଇ ପାରିବ ବୋଲି କୁହାଯାଉଛି ।

ଆଇଆଇଟି ରୁରକୀର ବୈଜ୍ଞାନିକମାନେ ଏକ ଆଣ୍ଟିବ୍ୟାକ୍ଟେରିଆଲ ସ୍ମଲ ମଲିକ୍ୟୁଲ (ଆଇଆଇଟିଆର୦୦୬୯୩)ର ସନ୍ଧାନ କରିଛନ୍ତି । ଯେଉଁ କ୍ଷେତ୍ରରେ ଔଷଧ କାମ କରେ ନାହିଁ, ସେ କ୍ଷେତ୍ରରେ ସଂକ୍ରମଣ ବିରୋଧରେ ଏହି ମଲିକ୍ୟୁଲ ଲଢ଼ିପାରିବ । ଥରେ ଏହି ମଲିକ୍ୟୁଲକୁ କ୍ଲିନିକାଲ ଟ୍ରାଏଲ ଷ୍ଟେଜକୁ ଅଣାଯିବା ପରେ ଏହା ଜରିଆରେ ବିଭିନ୍ନ ପ୍ରକାରର ଚର୍ମ ସମ୍ବର୍ନ୍ଧିତ ରୋଗର ଚିକିତ୍ସା କରାଯାଇ ପାରିବ । ଏହି ମଲିକ୍ୟୁଲ ଡ୍ରଗ-ପ୍ରତିରୋଧୀ ସଂକ୍ରମଣ ବିରୋଧରେ ଲଢ଼େଇ କରିବା ନେଇ ସାହାଯ୍ୟ କରିବ ।

ଆଇଆଇଟି ରୁରକୀ ପକ୍ଷରୁ କରାଯାଇଥିବା ଏହି ରିସର୍ଚ୍ଚରେ ବାୟୋସାଇନ୍ସ ଓ ବାୟୋଇଞ୍ଜିନିୟରିଂ ବିଭାଗର ୩ ଜଣ ପ୍ରଫେସର, ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ (ଏମ୍ସ) ଋଷିକେଶର ଜଣେ ପ୍ରଫେସର, ଚଣ୍ଡିଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପ୍ରଫେସର ଓ ଅସମ ୟୁନିଭରସିର୍ଟିର ଜଣେ ପ୍ରଫେସର ସାମିଲ ଥିଲେ । କଠିନ ସ୍କ୍ରିନିଂ ପ୍ରୋସେସ ପରେ ଏହି ମଲିକ୍ୟୁଲକୁ ଆବିଷ୍କାର କରାଯାଇଛି । ଏହି ମଲିକ୍ୟୁଲ ଗ୍ରାମ-ପଜିଟିଭ ଓ ଗ୍ରାମ-ନେଗେଟଭ୍ ବ୍ୟାକ୍ଟେରିଆର ଶୃଙ୍ଖଳା ବିରୋଧରେ ପ୍ରଭାବୀ ଆଣ୍ଟିବ୍ୟାକ୍ଟେରିଆଲ ଆକ୍ଟିଭିଟି ଦେଖାଇଥିବା ଆଇଆଇଟି ରୁରକୀ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାର କେମିକାଲ ସୋସାଇଟି ପତ୍ରିକାରେ ଏହି ତଥ୍ୟ ପ୍ରକାଶିତ ହୋଇଛି । ଏହି ମଲିକ୍ୟୁଲ ସଫ୍ଟ ଓ ସ୍କ୍ରିନ ଟିସୁ ସଂକ୍ରମର ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଗବେଷଣାର ରାସ୍ତା ଖୋଲିପାରେ ।

Get real time updates directly on you device, subscribe now.