ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ଯୁଦ୍ଧରେ ୟୁକ୍ରେନର ରାଜଧାନୀ କିଭରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି। ଏହା ମଧ୍ୟରେ ସେଠାରେ ଫସିଥିବା ଭାରତୀୟଙ୍କ ପାଇଁ କଠୋର ଆଡଭାଇଜରି ଜାରି କରାଯାଇଛି। ସମସ୍ତ ଭାରତୀୟ ନାଗରିକ ଏବଂ ଛାତ୍ରଙ୍କୁ ଯେମିତି ହେଲେ ଆଜି କିଭ୍ ଛାଡି ଚାଲି ଯିବାକୁ କୁହାଯାଇଛି। କିଭ ଛାଡିବା ପାଇଁ ଯାହା ବି କିଛି ସାଧନ ମିଳୁଛି ତାକୁ ଧରି ତୁରନ୍ତ ସେଠାରୁ ବାହାରି ଯିବାକୁ ଆଡଭାଇଜରିରେ କୁହାଯାଇଛି।
ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରଫରୁ କୁହାଯାଇଛି, ଟ୍ରେନ କିମ୍ବା ଯେ କୌଣସି ଯାତାୟତର ସାଧନ ମିଳୁଛି ତାକୁ ଧରି କିଭରୁ ଆଜି ବାହାରି ଯାଆନ୍ତୁ। କାରଣ କିଭରେ ସ୍ଥିତି ଭୟାବହ ହେବାରେ ଲାଗିଛି।
Advisory to Indians in Kyiv
All Indian nationals including students are advised to leave Kyiv urgently today. Preferably by available trains or through any other means available.
— India in Ukraine (@IndiainUkraine) March 1, 2022
ରୁଷ ସେନା କିଭ ଅଭିମୁଖେ ବଢିବାରେ ଲାଗିଛନ୍ତି। ୟୁକ୍ରେନର ରାଜଧାନୀ କିଭ ଦଖଲ ପାଇଁ ରୁଷ ପକ୍ଷରୁ ବହୁତ ବଡ ମିଲିଟାରୀ ଗ୍ରୁପ ପଠାଯାଇଛି। ରୁଷର ୬୪ କିଲୋମିଟରର ଲମ୍ବା ସାମରିକ କାରକେଡ୍ କିଭ ଅଭିମୁଖେ ବଢୁଛନ୍ତି। ରୁଷ ସେନା ଏବଂ ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ଲଢେଇ ଥମିବାର ନାଁ ଧରୁନି। ପୁଟିନ ନିଜ ଜିଦରେ ଅଟଳ ଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି। ଫଳରେ ୟୁକ୍ରେନର ସ୍ଥିତି ଦିନକୁ ବିଗିଡିବାରେ ଲାଗିଛି।
ସୂଚନାଯୋଗ୍ୟ, ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ଅଛନ୍ତି। ଏଥିରୁ ଅଧିକାଂଶ ମେଡିକାଲ୍ ପଢିବା ପାଇଁ ଯାଇଥିଲେ। ଏଥିରୁ ଚାରି ହଜାରରୁ ଅଧିକ ଲୋକ ଭାରତ ଫେରି ସାରିଛନ୍ତି। ବାକି ଭାରତୀୟଙ୍କ ସୁରକ୍ଷିତ ସ୍ଵଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ ଜୋରଦାର ଚାଲିଛି। ଅପରେସନ ଗଙ୍ଗାରେ ଏ ପର୍ୟ୍ୟନ୍ତ ଭାରତୀୟ ବିମାନ ପାଖାପାଖି ୧୫୦୦ ଭାରତୀୟଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସ୍ଵଦେଶ ଆଣି ସାରିଛି। ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ ଦେଶର ମାର୍ଗ ଜରିଆରେ ଭାରତ ସରକାର ନିଜର ନାଗରିକଙ୍କୁ ସ୍ଵଦେଶ ଆଣୁଛି। ଏ ପର୍ୟ୍ୟନ୍ତ ୬ ବିମାନ ଭାରତୀୟଙ୍କୁ ନେଇ ସ୍ଵଦେଶ ଫେରି ସାରିଛି।