fbpx

ବର୍ଦ୍ଦି ପିନ୍ଧିବାକୁ ଡରୁଛନ୍ତି ପୋଲିସ, ଘାରିଛି ଆତଙ୍କବାଦୀଙ୍କ ଭୟ

ଇସଲାମବାଦ: ପାକିସ୍ତାନରେ ଲଗାତର ଆତଙ୍କବାଦୀଙ୍କ ଆକ୍ରମଣ ପରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଅବସ୍ଥା ଏପରି ହୋଇଛି କି ପୋଲିସ ଅଧିକାରୀ ମଧ୍ୟ ଆତଙ୍କବାଦୀଙ୍କ ଭୟରେ ଘରେ ଲୁଚି ରହିଛନ୍ତି । ସେମାନଙ୍କୁ ବର୍ଦ୍ଦି ପିନ୍ଧିବାକୁ ବି ଭୟ ଲାଗୁଛି ।

ଏବେ ପାକିସ୍ତାନ ଭୀଷଣ ସମସ୍ୟା ଦେଇ ଗତି କରୁଛି । ଗୋଟିଏ ପଟେ ତାଲିବାନ ସହିତ ତା’ର ଯୁଦ୍ଧ ପରି ପରିସ୍ଥିତି ଲାଗି ରହିଛି । ଅନ୍ୟପଟେ ଦେଶ ମଧ୍ୟରେ ଲଗାତର ଆତଙ୍କବାଦୀ ଆକ୍ରମଣ ଦ୍ୱାରା ଲୋକମାନେ ଭୟଭୀତ ହୋଇ ରହିଛନ୍ତି । ଅବସ୍ଥା ଏପରି ହୋଇଛି କି ପୋଲିସ ଅଧିକାରୀ ବି ଆତଙ୍କବାଦୀଙ୍କ ଭୟରେ ଘରେ ଲୁଚି ରହିଛନ୍ତି । ସେମାନଙ୍କୁ ବର୍ଦ୍ଦି ପିନ୍ଧିବାକୁ ବି ଭୟ ଲାଗୁଛି । ପାକିସ୍ତାନରେ ପ୍ରାୟ ୧୨୦୦ପୋଲିସ ଅଧିକାରୀ ଓ ଯବାନ ଅନିଶ୍ଚିତକାଳ ପାଇଁ ହରତାଳରେ ଚାଲି ଯାଇଛନ୍ତି । ଆତଙ୍କୀଙ୍କ ଭୟ ସେମାନଙ୍କୁ ଏପରି ଘାରିଛି ଯେ, ସେମାନେ ଗସ୍ତରେ ଯିବାକୁ ବି ପଛଘୁଞ୍ଚା ଦେଉଛନ୍ତି । ଥାନାସବୁ ପୋଲିସଙ୍କ ଅନୁପସ୍ଥିତିରେ ଖାଲି ପଡିଛି । କୌଣସି ମୋକଦ୍ଦମା ରୁଜୁ ହୋଇପାରୁ ନାହିଁ ।

ପାକିସ୍ତାନର ଖୈବର ପରଖତୁନଖା ପ୍ରାନ୍ତର ଦକ୍ଷିଣ ବଜିରସ୍ଥାନ ଅଞ୍ଚଳରେ ପ୍ରାୟ ୧୨୦୦ପୋଲିସ ୨ ଦିନ ଧରି ହରତାଳରେ ଅଛନ୍ତି । ଦକ୍ଷିଣ ବଜିରସ୍ଥାନର ୬ ପୋଲିସ ଷ୍ଟେସନରେ ଶନିବାର ଠାରୁ କୌଣସି ମାମଲା ଦାଖଲ ହୋଇନାହିଁ । ପୋଲିସ ନିୟମ ଅନୁସାରେ କୌଣସି ବି ଥାନାରେ ଗସ୍ତ, ମାମଲାର ଯାଞ୍ଚ, ଚଢାଉ, ଏଫଆଇଆର୍ ରୁଜୁ, ଅଦାଲତ ହାଜରରେ ଉପସ୍ଥିତି, ଅଧିକାରୀଙ୍କ ଉପସ୍ଥିତି ସହିତ ସମସ୍ତ ଦୈନିକ କର୍ତ୍ତବ୍ୟ ଥାନାରେ ଡାଏରୀରେ ଉଲ୍ଲେଖ କରାଯାଇଥାଏ । କିନ୍ତୁ ଗତ ଶନିବାର ଠାରୁ ସବୁକିଛି ବନ୍ଦ ପଡିଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଯଦି ସେମାନେ ପୋଲିସ ମୋବାଇଲ୍ କିମ୍ବା ସରକରୀ ଗାଡିର ବ୍ୟବହାର କରୁଛନ୍ତି ତେବେ ସେମାନଙ୍କୁ ଆତଙ୍କବାଦୀମାନେ ଶୀଘ୍ର ଚିହ୍ନି ପାରୁଛନ୍ତି ଓ ଆକ୍ରମଣ କରୁଛନ୍ତି । ରାତି ସମୟରେ ଆତଙ୍କୀ ଆକ୍ରମଣର ସମ୍ଭାବନା ଅଧିକ ରହୁଛି । ତେଣୁ ଆମେ ରାତିରେ ଗସ୍ତରେ ଯାଇ ପାରୁ ନାହୁଁ । ଅପରପକ୍ଷରେ ଆମକୁ ବ୍ୟକ୍ତିଗତ ଯାନ ବ୍ୟବହାର କରିବାକୁ ଅନୁମତି ବି ଦିଆଯାଉନାହିଁ । ଏହା ବ୍ୟତିତ ସେମାନଙ୍କୁ ନିଜ ଆଇନଗତ କ୍ଷମତା ଉପଯୋଗ କରିବାକୁ ବି ଅନୁମତି ଦିଆଯାଉନାହିଁ ।

Get real time updates directly on you device, subscribe now.