Breaking: ପୁରୀରେ ମଟନ ନାଁରେ ହୋଟେଲରେ ଦେଉଥିଲେ ଗୋମାଂସ, ଏବେ ଢ଼ାବା ପରିସରରେ ୧୬୩ ଧାରା ଜାରି
ମଟନ ସହ ଗୋମାଂସ ମିଶାଇ ଦେଉଥିଲେ। ଭିଡ଼ିଓ ଭାଇରାଲ ହେଲା ପରେ ଦେଖାଦେଲା ଉତ୍ତଜେନା। ଲାଗୁ ହେଲା ୧୬୩ ଧାରା।
ପୁରୀ: ‘ପୁରୀ’ ଏହି ଶବ୍ଦଟି ଉଠିଲେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନାଁ ସାମ୍ନାକୁ ଆସେ। ହେଲେ ସେହି ଜଗନ୍ନାଥ ଧାମର ସାକ୍ଷୀଗୋପାଳ ଠାରେ ମଟନ ନାଁରେ ଜୟା ହୋଟେଲରେ ବିକ୍ରି ହେଉଛି ଗୋମାଂସ। ଯାହାକି ଅତି ନିନ୍ଦନୀୟ ଘଟଣା।
ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ତନାଘନା। ଦେଖା ଦେଇଥିଲା ଉତ୍ତେଜନା। ଭାଇରାଲ୍ ଭିଡିଓ ରେ ବୟାନ କୁ ଆଧାର କରି ସେଖ ବାବୁର ମାଂସ ଦୋକାନକୁ ସିଲ୍ କଲା ପ୍ରଶାସନ। ଆଉ ଏବେ ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି କରିଛି ପ୍ରଶାସନ।
ସାକ୍ଷୀଗୋପାଳ କଲେଜ ଛକଠାରୁ ୧ କିଲୋମିଟର ପରିଧି ପର୍ଯ୍ୟନ୍ତ ପ୍ରଶାସନ ୧୬୩ ଧାରା ଜାରି କରିଛି। ୪ ଜଣରୁ ଅଧିକ ଲୋକେ ଏହି ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ। ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ଘେରାବନ୍ଦୀ କରି ରଖିଛି। ହିନ୍ଦୁ ସେନା ଜୟା ଢ଼ାବା ସାମ୍ନାରେ ବିକ୍ଷୋଭ କରିବାକୁ ପୂର୍ବରୁ ଚେତାବନୀ ଦେଇଛି।
ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପୁରୀର ମଠାଧୀଶ। ଆଧ୍ୟାତ୍ମିକ କ୍ଷେତ୍ରରେ ପ୍ରଶାସନ ବିଧିବଦ୍ଧ ବ୍ୟବସ୍ଥା ନହେଲେ ଧର୍ମ ପ୍ରତି କୁଠାରାଘାତ ବୋଲି କହିଛନ୍ତି। ସମସ୍ତଙ୍କୁ ସଚେତନ, ସତର୍କ ଓ ପ୍ରାୟଶ୍ଚିତ କରିବାର ଆବଶ୍ୟକତା ରହିଛି । ଗୋଚାଲାଣ କରୁଥିବା ଗୋମାଫିଆଙ୍କ ପାଇଁ କଡାକଡ଼ି ଗୋସୁରକ୍ଷା ଆଇନ ଆଣିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।
ହେଲେ ଅନ୍ୟପଟେ ଭାଇରାଲ ଭିଡିଓର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ବାବୁଙ୍କ ପରିବାର। ଗୋରୁ ମାଂସ କାଟିବା ଅଭିଯୋଗକୁ ପ୍ରତ୍ୟାଖାନ କରିଛନ୍ତି ବାବୁ।