କୋହଲିଙ୍କ ପରେ କଙ୍ଗାରୁଙ୍କ ଟାର୍ଗେଟରେ ରୋହିତ

ରୋହିତ ଶର୍ମାଙ୍କୁ କାର୍ଟୁନ୍ କରୁଛି ଅଷ୍ଟ୍ରେଲୀୟ ଗଣମାଧ୍ୟମ। 'କ୍ରାଏ ବେବି' ନାଁ ଦେଇ କରିଛି ଅପମାନ।

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପରେ ଏବେ ଅଷ୍ଟ୍ରେଲିଆ ଗଣମାଧ୍ୟମ ରୋହିତ ଶର୍ମାଙ୍କୁ ଟାର୍ଗେଟ କରିଛି। ହିଟ୍‌ମ୍ୟାନ୍‌ଙ୍କ ଖରାପ କ୍ୟାପଟେନସିପ୍ କୁ ନେଇ ଅପମାନ।

ଅଷ୍ଟ୍ରେଲିଆର ‘ଦ ୱେଷ୍ଟ ଅଷ୍ଟ୍ରେଲିଆନ୍’ ଖବରକାଗଜ ରୋହିତଙ୍କୁ ‘କ୍ୟାପ୍ଟେନ୍ କ୍ରାଇ ବେବି’ କହି ଉପହାସ କରିଛି। ପୂର୍ବରୁ ରାଜା କୋହଲିଙ୍କୁ ‘କ୍ଲୋନ୍’ କୁହାଯାଉଥିଲା।

ଜୟସ୍ୱାଲଙ୍କ ଉପରେ ରାଗିଥିଲେ ରୋହିତ: ବାସ୍ତବରେ ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ଭାରତୀୟ ଖେଳାଳିମାନେ ଫିଲ୍ଡିଂ ବେଳେ ଅନେକ ଭୁଲ କରିଥିଲେ।

ଯଶସ୍ୱୀ ଜୟସ୍ୱାଲ ୩ଟି କ୍ୟାଚ୍ ଛାଡ଼ିବା ପରେ ଅଧିନାୟକ ରୋହିତ ଶର୍ମା ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା। ସେ ପଡ଼ିଆରେ ଯୁବ ଖେଳାଳିଙ୍କୁ କଡ଼ା ସମାଲୋଚନା କରିଥିଲେ।

ଜୈସୱାଲ ଉସମାନ ଖୱାଜା, ମାର୍ନସ ଲାବୁସାନେ ଓ ପ୍ୟାଟ୍ କମିନ୍ସଙ୍କ କ୍ୟାଚ୍ ଛାଡ଼ିଥିଲେ। ଏହାପରେ ରୋହିତ ଶର୍ମା ତାଙ୍କୁ ଗାଳି ଗୁଲଜ କରିଥିଲେ। ଏବେ ଅଷ୍ଟ୍ରେଲୀୟ ଗଣମାଧ୍ୟମ ରୋହିତଙ୍କ ଆଭିମୁଖ୍ୟକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରି ତାଙ୍କୁ ‘କ୍ରାଇ ବେବି’ ନାମ ଦେଇଛି।

ରୋହିତଙ୍କ ଉପରେ ବର୍ଷିଛନ୍ତି ହସି: କେବଳ ଏତିକି ନୁହେଁ, ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମାଇକେଲ ହସି ମଧ୍ୟ ରୋହିତଙ୍କ ଆଚରଣରେ ରାଗି ଯାଇଥିଲେ।

ଫକ୍ସ କ୍ରିକେଟକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ସତ କହିବାକୁ ଗଲେ ଭାରତୀୟ ଅଧିନାୟକଙ୍କ ଏହି ପ୍ରତିକ୍ରିୟା ମୋତେ ପସନ୍ଦ ଆସିନଥିଲା।

ମୁଁ ବୁଝିପାରୁଛି ଯେ ସେ ଭାବପ୍ରବଣ ଏବଂ ୱିକେଟ୍ ଆବଶ୍ୟକ କରନ୍ତି, କିନ୍ତୁ ଆପଣଙ୍କୁ ଶାନ୍ତ ରହିବା ଏବଂ ସମର୍ଥନ କରିବା ଆବଶ୍ୟକ । ସେ (ଯଶସ୍ୱୀ) କ୍ୟାଚ୍ ଛାଡ଼ିବା ରୁ ନିଶ୍ଚୟ ଖରାପ ଅନୁଭବ କରୁଥିବେ।