ନୂଆଦିଲ୍ଲୀ: ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ଧୂଳି ଚଟାଇଲା ଭାରତ । ଦିନିକିଆ ସିରିଜ୍ ଉପରେ ବି କଲା କବ୍ଜା । ଟେଷ୍ଟ ସିରିଜ୍ ଡ୍ର କରିବା ପରେ ଦମଦାର କମ୍ବ୍ୟାକ୍ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ମାଟିରେ ହିଁ ଇଂଲଣ୍ଡକୁ ସିରିଜ୍ ପରାଜୟର ମୁହଁ ଦେଖାଇଛି । ପ୍ରଥମେ ଟି-ଟ୍ୱେଣ୍ଟି ସିରିଜ୍ ଜିତିବା ସହ ଆଜି ଦିନିକିଆ ସିରିଜ୍ ଉପରେ ବି କବ୍ଚା କରିନେଇଛି ଭାରତୀୟ ଦଳ ।
ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଆଜି ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଥିବା ବେଳେ ଇଂଲଣ୍ଡକୁ ୫ ୱିକେଟରେ ହରାଇ ଦେଇଛି ଭାରତ । ଋଷଭ ପନ୍ତଙ୍କ ଦମଦାର ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡିଂ ସାଫଲ୍ୟ ବଳରେ ସିରିଜ୍ ଉପରେ କବ୍ଚା କରିନେଇଛି ଟିମ୍ ଇଣ୍ଡିଆ ।
ଓଲ୍ଡ ଟ୍ରାଫୋର୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ରୋହିତ୍ ଆଣ୍ଡ କୋ । ଭାରତୀୟ ବୋଲରଙ୍କ ନିୟନ୍ତ୍ରିତ ବୋଲିଂ ଫଳରେ ୨୫୯ ରନରେ ଅଲଆଉଟ୍ ହୋଇଯାଇଥିଲା ଘରୋଇ ଦଳ । ଭାରତ ପକ୍ଷରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୭ ରନ୍ ଦେଇ ୪ ୱିକେଟ୍ ହାସଲ କରିଥିଲେ ।
ଜବାବରେ ଭାରତର ଟପ୍ ଅର୍ଡର ବିଫଳ ହୋଇଥିବାବେଳେ ଋଷଭ ପନ୍ତ ଦମଦାର ପ୍ରଦର୍ଶନ କରିଥିଲେ । ସେ ୧୧୩ ବଲ୍ ଖେଳି ୧୨୫ ରନ୍ ସଂଗ୍ରହ କରିଥିବା ବେଳେ ହାର୍ଦ୍ଦିକ ମଧ୍ୟ ୫୫ ବଲରୁ ୭୧ ରନ୍ ସଂଗ୍ରହ କରିଥିଲେ । ଫଳରେ ୪୭ ବଲ୍ ବାକି ଥାଇ ମ୍ୟାଚ୍ ଜିତିନେଇଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ୨-୧ରେ ଆଗୁଆ ରହି ସିରିଜ୍ ଉପରେ କବ୍ଜା କରିନେଇଛି ଭାରତ ।