ଲାଲକିଲ୍ଲାରେ ଚଳିତ ବର୍ଷର ସ୍ୱାଧୀନତା ଦିବସ ସମାରୋହ ବହୁ ଦୃଷ୍ଟିରୁ ସ୍ୱତନ୍ତ୍ର; ଏଥରର ବିଶେଷ ଅତିଥି ୪୦୦ ସରପଞ୍ଚ, ୨୫୦ କୃଷକ ଓ ବହୁ ନିର୍ମାଣ ଶ୍ରମିକ

ନୂଆଦିଲ୍ଲୀ: ୭୭ ତମ ସ୍ୱାଧୀନତା ଦିବସର ସେହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ଆଉ ମାତ୍ର କିଛି ଘଣ୍ଟାର ସମୟ ବାକି । ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେକର୍ଡ ୧୦ମ ଥର ଲାଗି ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିିତ କରିବେ । ଏହି ଅବସରରେ ଲାଲକିଲ୍ଲାର ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଲାଲ କିଲ୍ଲାରେ ଚଳିତ ବର୍ଷ ଆୟୋଜିତ ହେଉଥିବା ସ୍ୱାଧୀନତା ଦିବସ ସମାରୋହ ବହୁ ଦୃଷ୍ଟିରୁ ସ୍ୱତନ୍ତ୍ର । କାରଣ ଏଥର ଏଠାକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭାର୍ଥୀଙ୍କ ସହିତ ସାରା ଦେଶରୁ ୧୮୦୦ ବିଶେଷ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି ।

ଏହି ପ୍ରୟାସ ସରକାରଙ୍କ ଜନଭାଗିଦାରୀ ଦୃଷ୍ଟିକୋଣ ଅନୁରୂପ କରାଯାଇଛି । ଏହି ବିଶେଷ ଅତିଥିଙ୍କ ମଧ୍ୟରେ ୪୦୦ ସରପଞ୍ଚ ସାମିଲ ଅଛନ୍ତି । ଏହା ବ୍ୟତିତ କୃଷକ ଉତ୍ପାଦକ ଯୋଜନା ସହ ଜଡିତ ୨୫୦ କୃଷକ, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ୫୦-୫୦ ପ୍ରତିଭାଗୀ, ନୂତନ ସଂସଦ ଭବନ ସହିତ ସେଣ୍ଟ୍ରାଲ ଭିଷ୍ଟା ପରିଯୋଜନାର ୫୦ ନିର୍ମାଣ ଶ୍ରମିକ ଓ ୫୦-୫୦ ଖଦୀ କର୍ମକର୍ତ୍ତା ଏହି ଅତିଥିଙ୍କ ମଧ୍ୟରେ ସାମିଲ ରହିଛନ୍ତି ।

କେବଳ ଏତିକି ନୁହେଁ ସୀମା ସଡକ ସଂଗଠନ କର୍ମୀ, ଅମୃତ ସରୋବର ପରିଯୋଜନା , ହର ଘର ଜଳ ଯୋଜନାରେ ସହଯୋଗ କରୁଥିବା ଓ କାମ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ସମାରୋହରେ ନିଜ ନିଜର ଜୀବନସାଥୀଙ୍କ ସହିତ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଛି । ଏହା ବ୍ୟତିତ ୫୦-୫୦ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ନର୍ସ ଓ ମାଛଧରାଳୀଙ୍କ ନାମ ମଧ୍ୟ ତାଲିକାରେ ସାମିଲ ରହିଛି । ସମସ୍ତଙ୍କୁ ଏହି ପୋର୍ଟାଲ (www.aamantran.mod.gov.in)  ଜରିଆରେ ଆମନ୍ତ୍ରଣ ପତ୍ର ପଠାଯାଇଛି ।