fbpx

ପାକିସ୍ତାନ ମାଟିରେ ପ୍ରବେଶ କଲା ଭାରତୀୟ ମିସାଇଲ: ବିବୃତି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଳୀ: ଭାରତ ଏୟାରସ୍ପେସରୁ ନିକ୍ଷେପ ହୋଇଥିବା ମିସାଇଲ ଭୁଲରେ ପାକିସ୍ତାନରେ ପଡିଲା । ଏବେ ଏମିତି କିଛି ବୟାନ ଦେଇଛି ଭାରତ । ପାକିସ୍ତାନ ସେନା ଗୁରୁବାର କହିଥିଲା କି ଭାରତ ତା ଏୟାରସ୍ପେସରୁ ମିସାଇଲ ନିକ୍ଷେପ କରିଛି । ଏବେ ଭାରତ ଏହା ଉପରେ ନିଜ ବିବୃତି ରଖିଛି । ଡିଫେନ୍ସ ୱିଙ୍ଗ ପକ୍ଷରୁ ଜାରି ବୟାନରେ ଏହି ମିସାଇଲ ପଛରେ ଥିବା ସତ୍ୟତା ବିଷୟରେ କୁହାଯାଇଛି ଏବଂ ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଛି । ରୁଟିନ ମେଣ୍ଟାନାନ୍ସ ମଧ୍ୟରେ ଟେକ୍ନିକାଲ କାରଣ ପାଇଁ ଏହି ମିସାଇଲ ଫାୟାର ହୋଇଯାଇଥିଲା । ଏମିତି ଘଟଣା ପରେ ଭାରତ ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ଓ ଏଥିପାଇଁ ହାଇଲେବଲ କୋର୍ଟ ଅଫ ଇନକ୍ୱାରୀ ଆଦେଶ ଦେଇଥିବା ଡିଫେନ୍ସ ୱିଙ୍ଗ କହିଛି । ମିସାଇଲ ପାକିସ୍ତାନ ଅଂଚଳରେ ପଡିଥିଲା । ତେବେ ସୌଭାଗ୍ୟବଶତଃ ଏଥିରେ କାହାର ମୃତ୍ୟୁ ହୋଇନାହିଁ ।

୯ ମାର୍ଚରେ ହାଇସ୍ପିଡରେ ଉଡୁଥିବା ଏକ ବସ୍ତୁ ଭାରତୀୟ କ୍ଷେତ୍ରରୁ ଉଡାଣ ଭରିଥିଲା ଓ ବାଟବଣା ହୋଇ ପାକିସ୍ତାନ ଅଂଚଳରେ ପଡିଥିବା ପାକିସ୍ତାନୀ ପ୍ରବକ୍ତା ମେଜର ଜେନେରାଲ ବାବର ଇଫ୍ତିଖାର କହିଥିଲେ । ବୁଧବାର ରାତିରେ ମିସାଇଲ ପଂଜାବ ଖାନେବାଲ ଜିଲ୍ଲା ମିୟାଁ ଚନ୍ନୁର ଅଂଚଳରେ ପଡିଥିଲା । ଏହା ଜଣାପଡିବା ପରେ ପାକିସ୍ତାନ ବାୟୁ ସେନା ତଦନ୍ତ ଅଭିଯାନ ଆରମ୍ଭ କରିଥିଲା । ଭାବିବାର କଥା ହେଲା ଭୁଲରେ ଫାୟାର ହୋଇଥିବା ଏହି ମିସାଇଲ ପାଇଁ କାହାର ଜୀବନ ବି ଯାଇପାରିଥାନ୍ତା । ଏହି ମିସାଇଲ ଉଡାଣ ଉଭୟ ପାକିସ୍ତାନ ଓ ଭାରତ ଦୁଇ ଦେଶର ନାଗରିକଙ୍କୁ ବିପଦରେ ପକାଇଦେଇଥିଲା । ମିସାଇଲକୁ ଆକ୍ରମଣ କରି ପକାଯାଇନଥିଲା ବରଂ ତାହା ନିଜେ ହିଁ ତଳେ ପଡିଥିବା ପାକିସ୍ତାନ ସେନା ସ୍ପଷ୍ଟ କରିଛି । ତେବେ ମିସାଇଲଟି ୪୦ ହଜାର ଫୁଟ ଉଚ୍ଚତାରେ ଯାଉଥିଲା, ଯାହାଦ୍ୱାରା କୌଣସି ଏକ ବଡ ଅଘଟଣ ଘଟିଥାନ୍ତା ବୋଲି ଜେନେରାଲ ଇଫତିଖାର କହିଛନ୍ତି ।

Get real time updates directly on you device, subscribe now.