fbpx

ୱାଲର୍ଡ ୟୁନିଭର୍ସିଟି ଗେମ୍ସରେ ଭାରତକୁ ମିଳିଲା ଚତୁର୍ଥ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ୱାଲର୍ଡ ୟୁନିଭର୍ସିଟି ଗେମ୍ସରେ ଭାରତକୁ ମିଳିଛି ଚତୁର୍ଥ ସ୍ୱର୍ଣ୍ଣ । ଚାଇନାର ଚେଙ୍ଗ୍‌ଡୁଠାରେ ଚାଲିଥିବା ୱାଲର୍ଡ ୟୁନିଭର୍ସିଟି ଗେମ୍ସରେ ଅମନ ସଇନି ଓ ପ୍ରଗତିଙ୍କୁ ନେଇ ଭାରତର ମିକ୍ସଡ କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେମାନେ ଫାଇନାଲରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୫୬-୧୫୬ରେ ହରାଇ ଦେଇଛନ୍ତି। ଭାରତ ବର୍ତ୍ତମାନ ପଦକ ତାଲିକାରେ ୧୦ ପଦକ (୪ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୪ ବ୍ରୋଞ୍ଜ) ସହ ଚତୁର୍ଥ ସ୍ଥାନରେ ରହିଛି।

ଭାରତ ପୁରୁଷ ଓ ମହିଳା କମ୍ପାଉଣ୍ଡ ଇଭେଣ୍ଟ ଟିମ୍‌ ଇଭେଣ୍ଟରେ ମଧ୍ୟ ଆହୁରି ଦୁଇ ପଦକ ହାସଲ କରିଛି। ସଙ୍ଗମପ୍ରୀତ ବିସ୍‌ଲା, ଅମନ ସଇନି ଓ ରିଷଭ ଯାଦବ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୨୯-୨୨୫ରେ ପରାସ୍ତ କରି ଏକ ବ୍ରୋଞ୍ଜ ପଦକ ପାଇଥିବା ବେଳେ ପୂର୍ଭାଷା, ପ୍ରଗତି ଓ ଅଭନିତ ଫାଇନାଲରେ କୋରିଆଠାରୁ ପରାଜିତ ହୋଇ ରୌପ୍ୟ ପଦକ ପାଇଛନ୍ତି। ତୀରନ୍ଦାଜୀକୁ ଛାଡ଼ିଦେଲେ ଭାରତ ଶୁଟିଂରେ ମଧ୍ୟ ଦୁଇ ପଦକ ଲାଭ କରିଛି। ଉଦୟବୀର ସିନ୍ଧୁ ଓ ଆଦର୍ଶ ସିଂ ରାପିଡ୍‌ ଫାୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ୧୭୨୯ ପଏଣ୍ଟ ସ୍କୋର କରି ଏକ ରୌପ୍ୟ ଜିତିଛନ୍ତି। ସୂର୍ଯ୍ୟପ୍ରତାପ, ସର୍ତାଜ ସିଂ ଓ ଐଶ୍ୱରି ତୋମାର ୫୦ମିଟର ରାଇଫଲ ଟିମ୍‌ କାଟେଗୋରିରେ ବ୍ରୋଞ୍ଜ ପାଇଛନ୍ତି। ଅନ୍ୟପକ୍ଷରେ ୫୮୩ ପଏଣ୍ଟ ସହ ବିଜୟବୀର ବ୍ୟକ୍ତିଗତ ୨୫ମିଟର ରାପିଡ୍‌ ଫାୟାର ପିସ୍ତଲ ଇଭେଣ୍ଟରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଐଶ୍ୱରୀ ମଧ୍ୟ ବ୍ୟକ୍ତିଗତ ୫୦ ମିଟର ରାଇଫଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି।

Get real time updates directly on you device, subscribe now.