fbpx

ଭାରତ ସରକାରଙ୍କ ପକ୍ଷରୁ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧ ପରେ ପାକିସ୍ତାନକୁ ବମ୍ପର ଫାଇଦା, ଚଳିତ ଆର୍ଥିକ ବର୍ଷରେ ୫୦ ଲକ୍ଷ ଟନ ଚାଉଳ ରପ୍ତାନୀ କରିବାକୁ ଲକ୍ଷ୍ୟ

Advertisement

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ଅଣବାସୁମତୀ ଚାଉଳ ରପ୍ତାନୀ ଉପରେ ଲାଗିଥିବା ପ୍ରତିବନ୍ଧ କାରଣରୁ ପାକିସ୍ତାନକୁ ବମ୍ପର ଫାଇଦା ମିଳିବା ନେଇ ଆଲୋଚନା କରାଯାଉଛି । ପାକିସ୍ତାନୀ ନ୍ୟୁଜ ୱେବସାଇଟ ଅନୁସାରେ ରାଇସ୍ ଏକ୍ସପୋର୍ଟସ ଆସୋସିଏସନ ଅଫ୍ ପାକିସ୍ତାନ (ଆରଇଏପି) କହିଛି ଚାଉଳ ରପ୍ତାନୀ ଉପରେ ଭାରତର ପ୍ରତିବନ୍ଧ କାରଣରୁ ପାକିସ୍ତାନରେ ଚାଉଳ ରପ୍ତାନୀ ବୃଦ୍ଧି ପାଇବ ।
ଆଗାମୀ ପାର୍ବଣ ଋତୁରେ ଘରୋଇ ଚାହିଦାରେ ବୃଦ୍ଧି ଓ ଖୁଚୁରା ଦର ଉପରେ ନିୟନ୍ତ୍ରଣ ରଖିବା ଲଶଗି ଭାରତ ବାସୁମତୀ ଚାଉଳକୁ ଛାଡି ଅନ୍ୟ ସମସ୍ତ ପ୍ରକାର ଚାଉଳର ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇ ଦେଇଛି । ଭାରତ ବିଶ୍ୱର ସବୁଠାରୁ ଅଧିକ ଚାଉଳ ରପ୍ତାନୀକାରୀ ଦେଶ ।

ଭାରତ ସବୁଠାରୁ ଅଧିକ ଅଣବାସୁମତୀ ଚାଉଳ ଇଟାଲୀ, ସ୍ପେନ, ଶ୍ରୀଲଙ୍କା ଓ ଆମେରିକାକୁ କରିଥାଏ । ଭାରତର ଏହି ନିଷ୍ପତ୍ତି ପରେ ଆମେରିକା, କାନାଡା ଓ ଅଷ୍ଟ୍ରେଲିଆ ସହିତ ବହୁ ଦେଶରେ ଚାଉଳ କ୍ରୟ କରିବା ଲାଗି ଭାଗ ଦୌଡ ପରି ପରିସ୍ଥିତି ଉପୁଜିଛି । ରାଇସ୍ ଏକ୍ସପୋର୍ଟ ଆସୋସିଏସନ ଅଫ୍ ପାକିସ୍ତାନର ଅଧ୍ୟକ୍ଷ ଚେଲାରାମ କେବଲାନୀ କହିଛନ୍ତି ବିଭିନ୍ନ ଆହ୍ୱାନ ସତ୍ତେ୍ୱ ପାକିସ୍ତାନ ଗତ ଆର୍ଥିକ ବର୍ଷରେ ୩୭ ଲକ୍ଷ ଚାଉଳ ରପ୍ତାନୀ କରିଛି ଯାହାର ମୂଲ୍ୟ ୨.୧୪ ଅରବ ଡଲାର । ଚେଲାରାମ ଆହୁରି କହିଛନ୍ତି ଜୁଲାଇରେ ଆରମ୍ଭ ହୋଇଥିବା ଚଳିତ ଆର୍ଥିକ ବର୍ଷରେ ପାକିସ୍ତାନରେ ୫୦ ଲକ୍ଷ ଟନ ଚାଉଳ ରପ୍ତାନୀ କରିବାର ଲକ୍ଷ୍ୟ ହାସଲ କରିନେବ ଯାହାର ମୂଲ୍ୟ ୩ ଅରବ ଡଲାର ହେବାର ଆକଳନ କରାଯାଇଛି ।

ଚାଉଳ ରପ୍ତାନୀ ଉପରେ ଭାରତର ପ୍ରତିବନ୍ଧ ଦ୍ୱାରା ବିଶ୍ୱ ଚାଉଳ ବଜାରରେ ଏହାର ବଡ ପ୍ରଭାବ ପଡିଛି । ବିଶ୍ୱ ବଜାରରେ ଏବେ ଚାଉଳର ଅଭାବ ପରିଲକ୍ଷିତ ହୋଇଛି । ଏପରି ସ୍ଥିତିରେ ପାକିସ୍ତାନକୁ ଏହି ଅଭାବ ପୂରଣ କରିବା ଲାଗି ଚାଉଳ କ୍ରୟ କରୁଥିବା ପ୍ରମୁଖ ଦେଶ ସହିତ ନିଜ ବଜାରର ଭାଗିଦାରୀକୁ ବ୍ୟାପକ କରିବା ଲାଗି ଏକ ଭଲ ସୁଯୋଗ ମିଳିଛି ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ପାକିସ୍ତାନ ବିଶ୍ୱର ଚତୁର୍ଥ ସବୁଠାରୁ ବଡ ଚାଉଳ ରପ୍ତାନୀକାରୀ ଦେଶ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କ୍ରମଶଃ ଭାରତ, ଥାଇଲାଣ୍ଡ ଓ ଭିଏତନାମ ରହିଛନ୍ତି ।

Get real time updates directly on you device, subscribe now.