fbpx

ଚୀନର ବଢ଼ିବ ଟେନସନ୍: LAC ପର୍ଯ୍ୟନ୍ତ ଭାରତ ନିର୍ମାଣ କରୁଛି ସୁଡ଼ଙ୍ଗ

ନୂଆଦିଲ୍ଲୀ: ସୀମାରେ ଭାରତ ପାଇଁ ଚୀନ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଗତ ସପ୍ତାହରେ ତୱାଙ୍ଗରେ ଭାରତ-ଚୀନ ସେନା ମୁହାଁମୁହିଁ ହୋଇ ଉଭୟ ପକ୍ଷର କିଛି ସୈନ୍ୟ ଆହତ ହୋଇଥିଲେ । ବିଭିନ୍ନ ସମୟରେ ଡ୍ରାଗନ ପକ୍ଷରୁ ଭାରତ ପାଇଁ ବିପଦ ଆଶଙ୍କା ରହିଥିବାରୁ ଭାରତ ନିଜର ପ୍ରତିରକ୍ଷା ଶକ୍ତିକୁ ମଜବୁତ କରୁଛି । ତେବେ ଏହା ମଧ୍ୟରେ ଭାରତୀୟ ସେନା ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି ।

ସୂଚନା ମୁତାବକ, ଭାରତ ଅରୁଣାଚଳ ପ୍ରଦେଶରେ ସେଲା ପାସ ଟନେଲ ନିର୍ମାଣ କରୁଛି । ବର୍ଡର ରୋଡସ୍ ଅର୍ଗାନାଇଜେସନ (ବ୍ରୋ) ପକ୍ଷରୁ ଏହି ପ୍ରୋଜେକ୍ଟ କାର୍ଯ୍ୟ ଚାଲିଥିବା ବେଳେ ଆସନ୍ତା ବର୍ଷ ଜୁଲାଇ ମାସ ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ୮-୯ କିମି ଦୂରତା ହ୍ରାସ ପାଇବ । ତେବେ ଏହି ସୁଡ଼ଙ୍ଗର ନିର୍ମାଣ ସରିବା ପରେ ଭାରତୀୟ ସେନା ଓ ସାଧାରଣ ଜନତା ସହଜରେ ତୱାଙ୍ଗରେ ପହଞ୍ଚି ପାରିବେ । ବର୍ତ୍ତମାନ ବଲିପାରା-ଚାରିଦୁଆର ରୋଡ଼କୁ ଯାତାୟାତ ପାଇଁ ବ୍ୟବହାର କରାଯାଉଥିବା ବେଳେ ଥଣ୍ଡା ସିଜିନରେ ସେଠାରେ ପ୍ରବଳ ବରଫ ପଡ଼ିଥାଏ ।

ସୂଚନାଯୋଗ୍ୟ ଯେ, ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ଅଢ଼େଇ ବର୍ଷ ଧରି ସୀମା ବିବାଦ ଜାରି ରହିଛି । ଗତ ୯ ତାରିଖରେ ଉଭୟ ପକ୍ଷର ସେନା ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ମୁହାଁମୁହିଁ ହୋଇଥିଲେ । ଏହାପରେ ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ପକ୍ଷର କମାଣ୍ଡର ସ୍ତରୀୟ ବୈଠକ ବସିଥିଲା । ଗତ ୨୦୨୦ରେ ଗଲୱାନ ଘାଟିରେ ଦୁଇ ପକ୍ଷଙ୍କ ମଧ୍ୟରେ ଭୀଷଣ ଲଢ଼େଇ ଦେଖିବାକୁ ମିଳିଥିଲା । ଉକ୍ତ ଗଣ୍ଡଗୋଳରେ ଭାରତର ୨୦ ଜଣ ସୈନ୍ୟ ପ୍ରାଣବଳୀ ଦେଇଥିବା ବେଳେ ଚୀନର ମଧ୍ୟ ବହୁ ସୈନ୍ୟ ମରିଥିଲେ ।

Get real time updates directly on you device, subscribe now.