fbpx
BJD SKY
BJD SKY

ଜାଡେଜାଙ୍କ ବିଶାଳ ଶତକ, ୫୭୪/୮ରେ ଇନିଂସ ଘୋଷଣା କଲା ଭାରତ

BJD

ମୋହାଲି: ମୋହାଲିରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଗର୍ଜିଛି ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟ୍। ଜାଡେଜାଙ୍କ ଦମଦାର ଅପରାଜିତ ଶତକ ଏବଂ ରବିଚନ୍ଦ୍ରନ ଅଶ୍ଵିନଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ଵିତୀୟ ଦିନରେ ୮ ଓ୍ଵିକେଟ୍ ବିନିୟମୟରେ ୫୭୪ ରନ କରି ପ୍ରଥମ ଇନିଂସ ଘୋଷଣା କରିଛି। ଜାଡେଜା ୧୭୫ ରନ ଏବଂ ମହମ୍ମଦ ଶାମି ୨୦ ରନ କରି ଅପରାଜିତ ଅଛନ୍ତି। ପ୍ରଥମ ଦିନରେ ଋଷଭ ପନ୍ତ ୯୬, ହନୁମା ବିହାରୀ ୫୮ ଏବଂ ବିରାଟ କୋହଲି ୪୫ ରନର ଉପଯୋଗୀ ଇନିଂସ ଖେଳିଥିଲେ।

ଭାରତ ପ୍ରଥମ ଦିନର ଅସମାପ୍ତ ଖେଳ ୩୫୭/୬ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଜ୍ରିଜରେ ଜାଡେଜା ୪୫ ଏବଂ ଅଶ୍ଵିନ ୧୦ ରନ କରି ଅପରାଜିତ ଥିଲେ। ହେଲେ ଦ୍ଵିତୀୟ ଦିନରେ ଉଭୟ ବ୍ୟାଟସମ୍ୟାନ ଦିନିକିଆ ଶୈଳୀରେ ବ୍ୟାଟିଂ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଏହି କ୍ରମର ଜାଡେଜା ଏବଂ ଅଶ୍ଵିନ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଶ୍ରୀଲଙ୍କା ବୋଲରକୁ କୌଣସି ସୁଯୋଗ ଦେଇନଥିଲେ। ସପ୍ତମ ଓ୍ଵିକେଟରେ ୧୩୦ ରନ ଯୋଡି ଭାରତକୁ ବିଶାଳ ସ୍କୋର ଅଭିମୁଖେ ନେଇଥିଲେ ଜାଡେଜା ଓ ଅଶ୍ଵିନ।

ଦଳୀୟ ସ୍କୋର ୪୬୨ ରନରେ ଅଶ୍ଵିନ ଆଉଟ୍ ହୋଇଥିଲେ। ସେ ୮୨ ବଲରୁ ୮ ଚୌକା ସହ ୬୧ ରନ କରିଥିଲେ। ଅନ୍ୟପଟେ ଜାଡେଜା ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ। ସେ ଟେଷ୍ଟ କ୍ୟାରିୟରରେ ଦ୍ଵିତୀୟ ଶତକ ଅର୍ଜନ କରିବା ପରେ ବି ତାଙ୍କ ବ୍ୟାଟ୍ ଥମିନଥିଲା। ଜୟନ୍ତ ଯାଦବ(୨) ଆଉଟ୍ ହେବା ପରେ ଶାମିଙ୍କୁ ଧରି ଜାଡେଜା ଅବିଭାଜିତ ନବମ ଓ୍ଵିକେଟରେ ୧୦୩ ରନ ଯୋଡିଥିଲେ। ଭାରତ ୫୭୪/୮ରେ ପ୍ରଥମ ଇନିଂସ ଘୋଷଣା କରିଥିଲା। ଜାଡେଜା ୨୨୮ ବଲରୁ ୧୭ ଚୌକା ଏବଂ ୩ ଛକା ସହ ୧୭୫ ରନର ଇନିଂସ ଖେଳି କପିଲ୍ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି। ଶାମି ୨୦ ରନରେ ଅପରାଜିତ ଥିଲେ। ଶ୍ରୀଲଙ୍କା ପକ୍ଷରୁ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସୁରଙ୍ଗା ଲାକମଲ, ବିଶ୍ଵ ଫର୍ଣ୍ଣାଡୋ ଏବଂ ଧନଞ୍ଜୟ ଡି ସିଲଭା ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Get real time updates directly on you device, subscribe now.