ଇସଲାମାବାଦ/ନୂଆଦିଲ୍ଲୀ,୪ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ତାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଚାଲିଛି। ପାକିସ୍ତାନକୁ ଦଣ୍ଡ ଦେବା ପାଇଁ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର କିଛି ଦିନ ପରେ, ଭାରତ ପୁଣି ଚେନାବ ନଦୀର ବାଗଲିହାର ଡ୍ୟାମ୍ ଦେଇ ଜଳ ପ୍ରବାହ ବନ୍ଦ କରିଛି। ଝେଲମ ନଦୀର କିଶନଗଙ୍ଗା ଡ୍ୟାମରେ ସମାନ ପଦକ୍ଷେପ ନେବା ପାଇଁ ଯୋଜନା କରୁଛି।
ଏହି ଜଳବିଦ୍ୟୁତ ବନ୍ଧଗୁଡ଼ିକ ଜମ୍ମୁର ରାମବନର ବାଗଲିହାର ଏବଂ ଉତ୍ତର କାଶ୍ମୀରର କିଶନଗଙ୍ଗା ଦେଶକୁ ଜଳ ଛାଡ଼ିବାର ସମୟ ନିୟନ୍ତ୍ରଣ କରିବାର କ୍ଷମତା ପ୍ରଦାନ କରନ୍ତି। ପାକିସ୍ତାନ ଅତୀତରେ ବାଗଲିହାର ଡ୍ୟାମ ଉପରେ ବିଶ୍ୱ ବ୍ୟାଙ୍କଠାରୁ ମଧ୍ୟସ୍ଥତା ଲୋଡ଼ିଛି। ଝେଲମର ଏକ ଶାଖା ନଦୀ ନୀଲମ ନଦୀ ଉପରେ କିଶନଗଙ୍ଗା ବନ୍ଧର ପ୍ରଭାବ ସମ୍ପର୍କରେ ଆଇନଗତ ଏବଂ କୂଟନୈତିକ ଯାଞ୍ଚ ହୋଇଛି।
ଭାରତରୁ ପାକିସ୍ତାନକୁ ପ୍ରବାହିତ ଏହି ନଦୀଗୁଡ଼ିକୁ ଦେଶର ଜୀବନରେଖା ଭାବରେ ବିବେଚନା କରାଯାଏ କାରଣ ଏହା ଜଳସେଚନ ଏବଂ ପାନୀୟ ଜଳ ଯୋଗାଣ ପାଇଁ ଏଗୁଡ଼ିକ ଉପରେ ନିର୍ଭର କରେ।
୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ କୂଟନୈତିକ, ଅର୍ଥନୈତିକ ଏବଂ ଜଳସମ୍ପଦ ସହ ଜଡ଼ିତ ଅନେକ ନିଷ୍ପତ୍ତି କାର୍ଯ୍ୟକାରୀ କରିଛି।
ଏହାର ଜବାବରେ, ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ଘୋଷଣା କରିଛନ୍ତି ଏବଂ ପାକିସ୍ତାନକୁ ପ୍ରବାହିତ ନଦୀ, ବିଶେଷକରି ଚେନାବ ଏବଂ ଝେଲମ ନଦୀର ଜଳ ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ବାଗଲିହାର ଡ୍ୟାମ (ଚେନାବ ନଦୀ ଉପରେ)ରୁ ଜଳ ଯୋଗାଣ କାଟ ଆରମ୍ଭ କରାଯାଇଛି, ଯେତେବେଳେ କିଶନଗଙ୍ଗା ଡ୍ୟାମ (ଝେଲମର ଏକ ଶାଖା ନଦୀ ନୀଲମ ନଦୀ ଉପରେ)ରେ ସମାନ ପଦକ୍ଷେପ ନେବାର ଯୋଜନା କରାଯାଉଛି।
ଭାରତର ଏହି ପଦକ୍ଷେପ ପାକିସ୍ତାନରେ ଚିନ୍ତାର ଲହରୀ ସୃଷ୍ଟି କରିଛି। ପାକିସ୍ତାନ ଭାରତର ଜଳ ନିଷ୍ପତ୍ତିକୁ ଯୁଦ୍ଧ ଭଳି କାର୍ଯ୍ୟ ବୋଲି କହିଛି। ପୂର୍ବତନ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୂଟ୍ଟୋ ଭାରତକୁ ଚେତାବନୀ ଦେଇ କହିଥିଲେ ଯେ, ଯଦି ସିନ୍ଧୁ ଜଳ ବନ୍ଦ କରାଯାଏ, ତେବେ ‘ସିନ୍ଧୁ ନଦୀରେ ପାଣି ନୁହେଁ, ରକ୍ତ ରହିବ।’
ଭାରତ ପୂର୍ବରୁ ପାକିସ୍ତାନ ସହିତ କୂଟନୈତିକ ସମ୍ପର୍କକୁ ହ୍ରାସ କରିଥିଲା ଏବଂ ଆମଦାନୀ କଟକଣା ଏବଂ ଭାରତୀୟ ବନ୍ଦର ଦେଇ ପାକିସ୍ତାନୀ ଜାହାଜର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲା।
ଏହି ସମୟରେ, ନିୟନ୍ତ୍ରଣ ରେଖା (LoC) ଏବଂ ଅନ୍ତର୍ଜାତୀୟ ସୀମା (IB)ରେ ମଧ୍ୟ ଉତ୍ତେଜନା ବୃଦ୍ଧି ପାଉଛି। ଗତ ଦଶ ରାତି ଧରି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଯାହାର ଭାରତୀୟ ସେନା ଉଚିତ ଜବାବ ଦେଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସପ୍ତାହରେ ଏକ ବିବୃତ୍ତିରେ କହିଥିଲେ ଯେ, ଭାରତ ଯେକୌଣସି ମୂଲ୍ୟରେ ଏହି ଆକ୍ରମଣର ଦୋଷୀଙ୍କୁ ନ୍ୟାୟର କଏଦକୁ ଆଣିବ।
ଭାରତର ଜଳସମ୍ପଦକୁ କୂଟନୈତିକ ଅସ୍ତ୍ର ଭାବରେ ବ୍ୟବହାରକୁ ଏକ ରଣନୈତିକ ପରିବର୍ତ୍ତନ ଭାବରେ ଦେଖାଯାଉଛି। ସିନ୍ଧୁ, ଝେଲମ ଏବଂ ଚେନାବ ଭଳି ନଦୀ ପାକିସ୍ତାନ ପାଇଁ ଜଳସେଚନ ଏବଂ ପାନୀୟ ଜଳର ପ୍ରମୁଖ ଉତ୍ସ, ଏବଂ ଭାରତର ସେଗୁଡ଼ିକୁ ନିୟନ୍ତ୍ରଣ କରିବାର କ୍ଷମତାକୁ ନେଇ ଇସଲାମାବାଦରେ ଭୟର ବାତାରବରଣ ଖେଳିଯାଇଛି।
୧୯୬୦ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା, ଯେଉଁଥିରେ ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାର ଭୂମିକା ଗ୍ରହଣ କରିଥିଲା। ଏପର୍ଯ୍ୟନ୍ତ ଏହା ଦକ୍ଷିଣ ଏସିଆରେ ଜଳ ସମ୍ବନ୍ଧୀୟ ବିବାଦକୁ ଏଡ଼ାଇବାର ମୁଖ୍ୟ ଉପାୟ ହୋଇଆସିଛି।