fbpx

ହକି ବିଶ୍ୱକପ୍: ଭୁବନେଶ୍ୱରରେ ହକିପ୍ରେମୀ ନିରାଶ, ସଂଘର୍ଷ କରି ହାରିଲା ଭାରତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରମାଗତ ଦ୍ୱିତୀୟ ଥର ପାଇଁ ଓଡ଼ିଶା ମାଟିରେ ଆୟୋଜନ ହେଉଛି ପୁରୁଷ ହକି ବିଶ୍ୱକପ୍ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଆଜି କଳିଙ୍ଗ ମାଟି ରଙ୍ଗବେରଙ୍ଗରେ ସଜେଇ ହେବା ସହ ଏହାର ପ୍ରଚାର ପାଇଁ ପାଇଁ ରାଜ୍ୟ ସରକାର କୋଟି କୋଟି ଅର୍ଥ ବ୍ୟୟ କରିଛନ୍ତି । ତେବେ ଏହା ମଧ୍ୟରେ ବିଶ୍ୱକପର ପୁଲ ପର୍ଯ୍ୟାୟ ମ୍ୟାଚ ସରିଥିବା ବେଳେ ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରସଓଭର ବା ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲା ଚାଲିଥିଲା ।

ପ୍ରଥମ କ୍ରସଓଭର ମ୍ୟାଚରେ ସ୍ପେନ ପେନାଲ୍ଟି ଶୁଟ୍ ଆଉଟରେ ମାଲେସିଆକୁ ୪-୩ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲା । ତେବେ ଆଜି ଭାରତ ପ୍ରଥମେ ୩ଟି ଗୋଲ ଦେଇ ୩-୦ରେ ଆଗୁଆ ରହିଥିଲା । ମାତ୍ର ଏହାପରେ ନ୍ୟୁଜିଲାଣ୍ଡ ୩-୩ ସ୍ଥିତିକୁ ନେଇ ଆସିଥିଲା । ପରେ ପେନାଲ୍ଟି ଶୁଟଆଉଟରେ ଭାରତ ପରାସ୍ତ ହୋଇଥିଲା । ନ୍ୟୁଜିଲାଣ୍ଡ ଏବେ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବା ବେଳେ ଭାରତ ବିଶ୍ୱକପରୁ ବିଦା ହୋଇଛି ।

ହକି ବିଶ୍ୱକପର ଫର୍ମାଟ ଅନୁଯାୟୀ, ପ୍ରତ୍ୟେକ ପୁଲର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । କ୍ୱାର୍ଟର ଫାଇନାଲର ଅନ୍ୟ ୪ଟି ସ୍ଥାନ ପାଇଁ ଆଜି କ୍ରସଓଭର ମୁକାବିଲା ଆରମ୍ଭ ହୋଇଥିଲା । ପ୍ରଥମ ମ୍ୟାଚରେ ପୁଲ-ସି’ର ଦ୍ୱିତୀୟ ସ୍ଥାନରେ ଥିବା ମାଲେସିଆ ସହ ପୁଲ-ଡି’ର ତୃତୀୟ ସ୍ଥାନରେ ଥିବା ସ୍ପେନ, ପୁଲ-ଡି’ର ଦ୍ୱିତୀୟ ସ୍ଥାନରେ ଥିବା ଭାରତ ସହ ପୁଲ-ସି’ର ତୃତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଖେଳିବା ନେଇ ସ୍ଥିର ହୋଇଥିଲା । ତେବେ ଆଜିର ମ୍ୟାଚରେ ଭାରତ ପରାସ୍ତ ହେବା ଫଳରେ ଦଳର ୪୮ ବର୍ଷର ପଦକ ଆଶା ସ୍ୱପ୍ନରେ ରହିଯାଇଛି ।

Get real time updates directly on you device, subscribe now.