ଶୁଖିବାକୁ ଲାଗିଲାଣି ପାକିସ୍ତାନ! ସାଟେଲାଇଟ୍ ଫୁଟେଜରେ ଦେଖନ୍ତୁ ଭାରତର ଜଳ ପ୍ରହାରର ପ୍ରଭାବ
ପାକିସ୍ତାନର ବଢିଲା ଚିନ୍ତା, ଶୁଖିଗଲାଣି ନଦୀ
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ, ପାକିସ୍ତାନ ବିରୁଦ୍ଧରେ ଅନେକ ରଣନୈତିକ ପଦକ୍ଷେପ ନେଇଛି ଭାରତ। ଏହି ପଦକ୍ଷେପଗୁଡ଼ିକରେ ସିନ୍ଧୁ ଚୁକ୍ତିନାମାକୁ ସ୍ଥଗିତ ରଖିବା ମଧ୍ୟ ଅନ୍ତର୍ଭୁକ୍ତ, ଯାହାର ପ୍ରଭାବ ସାଟେଲାଇଟ୍ ଫୁଟେଜରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି।
ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ ସିଆଲକୋଟ ନିକଟରେ ଚେନାବ ନଦୀ ଏବେ ଶୁଖିଯିବାକୁ ବସିଛି ବୋଲି ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି।
ଫୁଟେଜରେ ସ୍ପଷ୍ଟ ଦେଖାଯାଉଛି ଯେ, ସିଆଲକୋଟ ନିକଟରେ ଚେନାବ ନଦୀର ପ୍ରବାହ ପ୍ରାୟ ବନ୍ଦ ହୋଇଯାଇଛି। ଯାହା ପାକିସ୍ତାନ ପାଇଁ ବହୁତ ଚିନ୍ତାର ବିଷୟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ପହଲଗାମ ଆକ୍ରମଣର ଦୋଷୀମାନଙ୍କୁ ସେମାନେ କଳ୍ପନା କରିବାଠାରୁ ମଧ୍ୟ ଖରାପ ଦଣ୍ଡ ଦିଆଯିବ।
ଏହି ବୟାନ ପରେ ପାକିସ୍ତାନରେ ଭୟର ବାତାବରଣ ଖେଳିଯାଇଛି ଏବଂ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ କେତେ ବିପଦପୂର୍ଣ୍ଣ ହେବ ବୋଲି ପାକ୍ ଅଧିକାରୀମାନେ ଚିନ୍ତାରେ ପଡିଛନ୍ତି।
ଯଦି ସିଆଲକୋଟ ଅଞ୍ଚଳରେ ଚେନାବ ନଦୀ ସମ୍ପୂର୍ଣ୍ଣ ଶୁଖିଯାଏ, ତେବେ ଏହା ସେଠାକାର କୃଷି ଏବଂ ସ୍ଥାନୀୟ ଜନସଂଖ୍ୟା ଉପରେ ଗୁରୁତର ପ୍ରଭାବ ପକାଇପାରେ।
ଏହା ଦୁଇ ଦେଶ ମଧ୍ୟରେ ପୂର୍ବରୁ ଦୁର୍ବଳ ଥିବା ସମ୍ପର୍କରେ ଆହୁରି ଚାପ ପକାଇବ ବୋଲି ଆଶଙ୍କା କରାଯାଉଛି, ଅନେକ ପାକିସ୍ତାନୀ ନେତା ପୂର୍ବରୁ କହିସାରିଛନ୍ତି ଯେ, ଭାରତ ଦ୍ୱାରା ପାଣି ଅଟକାଇବା ଯୁଦ୍ଧର ଆରମ୍ଭ ଭାବରେ ଦେଖାଯିବ।