fbpx

U-19 ବିଶ୍ୱକପ: ସୁପର-୬ରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଆୟର୍ଲାଣ୍ଡ ୨୦୧ ରନରେ ହାରିଲା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅଣ୍ଡର-୧୯ ପୁରୁଷ ବିଶ୍ୱକପ କ୍ରିକେଟରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିବା ସହ ପଏଣ୍ଟସ୍ ଟେବୁଲରେ ଟପରେ ପହଞ୍ଚିଛି । ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଆୟର୍ଲାଣ୍ଡକୁ ଏକ ବଡ଼ ବ୍ୟବଧାନରେ ମାତ୍ ଦେଇଛି । ଏହି ବିଜୟ ଫଳରେ ଭାରତ ପରବର୍ତ୍ତୀ ରାଉଣ୍ଡ ସୁପର-୬ରେ ପହଞ୍ଚି ଯାଇଛି ।

ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ମୁଶେର ଖାନଙ୍କ ଶତକୀୟ ଇନିଂସ (୧୧୮) ରନ ଓ ଅଧିନାୟକ ଉଦୟ ସହାରଣଙ୍କ ଅର୍ଦ୍ଧଶତକୀୟ ଇନିଂସ (୭୫) ରନ୍ ସହାୟତାରେ ୩୦୧ ରନର ଏକ ବଡ଼ ସ୍କୋର ଛିଡ଼ା କରିଥିଲା । ଆୟର୍ଲାଣ୍ଡ ପକ୍ଷରୁ ଓଲିଭର ରିଲେ ୩ଟି ଓ ଜନ ମାକନାଲି ୨ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଆୟର୍ଲାଣ୍ଡ ୨୯.୪ ଓଭରରେ ମାତ୍ର ୧୦୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ୩୦ ଅଙ୍କ ଟପିପାରିନଥିଲେ । ଭାରତ ପକ୍ଷରୁ ନମନ ତିୱାରୀ ସର୍ବାଧିକ ୪ଟି ୱିକେଟ ନେଇଥିଲେ ।

ଏହାଫଳରେ ଭାରତ ୨୦୧ ରନର ଏକ ବୃହତ୍ ବିଜୟ ହାସଲ କରିଛି । ଏହି ବିଜୟ ଫଳରେ ଭାରତ ଗ୍ରୁପ ଟପରେ ପହଞ୍ଚିବା ସହିତ ପରବର୍ତ୍ତୀ ସୁପର-୬ ରାଉଣ୍ଡରେ ପହଞ୍ଚି ଯାଇଛି । ଚଳିତ ବିଶ୍ୱକପରେ ମୋଟ ୪ଟି ଗ୍ରୁପ ରହିଥିବା ବେଳେ ଭାରତ ଗ୍ରୁପ-ଏ’ରେ ସ୍ଥାନ ପାଇଛି । ପ୍ରତି ଗ୍ରୁପର ଟପ-୩ଟି ଟିମ୍ ସୁପର-୬ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବେ । ଗ୍ରୁପ-ବି’ରେ ଇଂଲଣ୍ଡରେ ଟପରେ ରହିଥିବା ବେଳେ ଗ୍ରୁପ-ସି’ରେ ଅଷ୍ଟ୍ରେଲିଆ ଓ ଗ୍ରୁପ-ଡି’ରେ ପାକିସ୍ତାନରେ ଟପରେ ରହିଛି ।

Get real time updates directly on you device, subscribe now.