ପାକିସ୍ତାନକୁ ଭର୍ତ୍ସନା କଲା ଭାରତ: ସିନ୍ଧୁ ଜଳ ଚୁକ୍ତିନାମା ଉପରେ ‘ନକଲି’ କୋର୍ଟ ନାଟକର ପର୍ଦ୍ଦାଫାଶ କରି କହିଲା…

ନୂଆଦିଲ୍ଲୀ,୨୭ା୬: ଭାରତ ପୁଣିଥରେ ଆତଙ୍କବାଦୀର ସୃଷ୍ଟିକର୍ତ୍ତା ପାକିସ୍ତାନକୁ ଏହାର ସ୍ଥିତି ମନେ ପକାଇ ଦେଇଛି। ଶୁକ୍ରବାର ଭାରତ ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ଗଠିତ ମଧ୍ୟସ୍ଥତା କୋର୍ଟକୁ ଅବୈଧ ବୋଲି କହିବା  ସହ ଏହାର କ୍ଷେତ୍ରାଧିକାରକୁ ପ୍ରତ୍ୟାଖ୍ୟାନ କରିଛି। ମଧ୍ୟସ୍ଥତା କୋର୍ଟ ଏକ ପରିପୂରକ ରାୟ ଜାରି କରି ଦାବି କହିଛି ଯେ, ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ କିଶନଗଙ୍ଗା ଏବଂ ରାଟଲେ ନଦୀବନ୍ଧ ଉପରେ ନିଷ୍ପତ୍ତି ନେବାର ଅଧିକାର ଏହାର ଅଛି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି ତଥାକଥିତ କୋର୍ଟ ବେଆଇନ। କାରଣ ଏହା ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମା ଉଲ୍ଲଂଘନ କରି ଗଠିତ ହୋଇଥିଲା। ମନ୍ତ୍ରଣାଳୟ କହିଛି, ଭାରତ କେବେବି ଏହାର ଅସ୍ତିତ୍ୱ କିମ୍ବା ଏହାର ପୂର୍ବ ନିଷ୍ପତ୍ତିଗୁଡ଼ିକୁ ସ୍ୱୀକାର କରିନାହିଁ। ଆମେ କେବେବି ଏହି କୋର୍ଟକୁ ଆଇନଗତ ଭାବରେ ସ୍ୱୀକୃତି ଦେଇନାହୁଁ। ଏହି କୋର୍ଟ ଦ୍ୱାରା କିମ୍ବା ତାଙ୍କ ପକ୍ଷରୁ ନିଆଯାଇଥିବା ଯେକୌଣସି ନିଷ୍ପତ୍ତି ଅବୈଧ।

ବୈଦେଶିକ ମନ୍ତ୍ରଣାଳୟ କହିଛି, ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଛି ଏବଂ ଏଥିରୁ ଧ୍ୟାନ ହଟାଇବା ପାଇଁ, ଏହା ମିଥ୍ୟା ଏବଂ ଭ୍ରାମିକ କାର୍ଯ୍ୟ କରିଥାଏ। ମଧ୍ୟସ୍ଥତା କୋର୍ଟ ଭଳି ନାଟକ ସେହି ରଣନୀତିର ଅଂଶ ଯେଉଁଥିରେ ପାକିସ୍ତାନ ନିଜକୁ ପୀଡିତ ଭାବରେ ଦେଖାଇବାକୁ ଚେଷ୍ଟା କରେ।

ସିନ୍ଧୁ ଜଳ ଚୁକ୍ତିନାମାର ଉଦ୍ଦେଶ୍ୟ ଥିଲା ଦୁଇ ଦେଶ ମଧ୍ୟରେ ନଦୀଗୁଡ଼ିକର ଜଳ ବଣ୍ଟନ ପାଇଁ ସର୍ତ୍ତାବଳୀ ସ୍ଥିର କରି ବିବାଦର ଅନ୍ତ କରିବା। ସିନ୍ଧୁ ନଦୀ ପ୍ରଣାଳୀରେ ତିନୋଟି ପୂର୍ବ ନଦୀ ରବି, ବ୍ୟାସ, ସତଲେଜ ଏବଂ ତିନୋଟି ପଶ୍ଚିମ ନଦୀ ସିନ୍ଧୁ, ଝେଲମ, ଚେନାବ ସମେତ ମୋଟ ଛଅଟି ନଦୀ ଅନ୍ତର୍ଭୁକ୍ତ। ଏହି ଚୁକ୍ତିନାମା ଅନୁଯାୟୀ, ଭାରତ ପୂର୍ବ ନଦୀଗୁଡ଼ିକୁ ନିୟନ୍ତ୍ରଣ ଏବଂ ବ୍ୟବହାର କରିବାର ଅଧିକାର ପାଇଛି, ଯେତେବେଳେ ପାକିସ୍ତାନ ପଶ୍ଚିମ ନଦୀଗୁଡ଼ିକର ନିୟନ୍ତ୍ରଣ ପାଇଛି।

ପାକିସ୍ତାନର ପ୍ରାୟ ୮୦ ପ୍ରତିଶତ କୃଷି ଜଳସେଚନ ସିନ୍ଧୁ ଜଳ ପ୍ରଣାଳୀ ଉପରେ ନିର୍ଭର କରେ। ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଭାରତର ପ୍ରତିବନ୍ଧକ ଯୋଗୁ ପାକିସ୍ତାନରେ ସିନ୍ଧୁ ନଦୀ ପର୍ଯ୍ୟନ୍ତ ପାଣି ପହଞ୍ଚିପାରିବ ନାହିଁ, ଯାହା ଜଳ ସଙ୍କଟ ସୃଷ୍ଟି କରିବ ଏବଂ ସେଠାକାର କୃଷି ଉପରେ ସିଧାସଳଖ ପ୍ରଭାବ ପକାଇବ।

ବୈଦେଶିକ ମନ୍ତ୍ରଣାଳୟ ପୁନରାବୃତ୍ତି କରି ପୁଣି ଏହାକୁ ଦୋହରାଇ କହିଛି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନକରେ, ସେପର୍ଯ୍ୟନ୍ତ ଭାରତ ଏହି ଚୁକ୍ତିନାମା ସହିତ ଜଡିତ କୌଣସି ଦାୟିତ୍ବ ଗ୍ରହଣ କରିବ ନାହିଁ। ମନ୍ତ୍ରଣାଳୟ କହିଛି କୌଣସି କୋର୍ଟ, ବିଶେଷକରି ଏପରି ଏକ ଅବୈଧ କୋର୍ଟର ଭାରତର ସାର୍ବଭୌମ ଅଧିକାର ସମୀକ୍ଷା କରିବାର ଅଧିକାର ନାହିଁ।