fbpx

ଭାରତ ବିଶ୍ୱର ୫ମ ବୃହତ୍‍ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଦୁଇଦିନିଆ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆଜି ଉଦ୍‍ଯାପିତ ହେଉଛି । ଗତକାଲିଠାରୁ ଏନ୍‍.ଡି.ଏମ୍‍.ସି କନ୍‍ଭେନ୍‍ସନ ସେଣ୍ଟରରେ ଏହି ବୈଠକ ଚାଲିଛି । ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭାରତ ବିଶ୍ୱର ୫ମ ବୃହତ୍‍ ଅର୍ଥବ୍ୟବସ୍ଥା ପରିଣତ ହେବାକୁ ଯାଉଛି । ମହାମାରୀ ପରିଚାଳନା କ୍ଷେତ୍ରରେ ଭାରତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଏହି ସମୟରେ ସମସ୍ତଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇ ଦିଆଯାଇଛି । ଦେଶର ସାମଗ୍ରୀକ ବିକାଶ ଏବଂ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି ।

ଏଥିସହ ସାମାଜିକ ଓ ଅର୍ଥନୈତିକ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ବହୁ ଜନହିତକାରୀ ଯୋଜନା ପ୍ରଣୟନ କରିବା ସହ ଏହାର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଛନ୍ତି ।ଭାରତମାଳା , ସାଗରମାଳା, ଉତ୍ସର୍ଗୀକୃତ ଫ୍ରେଟ୍‍ କରିଡର ଭଳି ଯୋଜନା ଦେଶର ବିକାଶଧାରାକୁ ଶିଖରକୁ ନେଇଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଦେଶର ୮୦ ପ୍ରତିଶତ ଜନତାଙ୍କୁ ନିଃଶୁଳ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୃକ୍ତ କରାଯାଇଛି। ଦେଶରେ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି। ଦେଶରେ ୫ ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ର ଖୋଲାଯାଇଛି। କ୍ଷୁଦ୍ର ଉଦ୍ୟୋଗୀ ମୁଦ୍ରା ଯୋଜନାରେ ସହାୟତା ପାଉଛନ୍ତି। ଭୋକାଲ ଫର୍ ଲୋକାଲ, ଓ୍ୱାନ ଡିଷ୍ଟ୍ରିକ୍ଟ – ଓ୍ୱାନ୍ ପ୍ରଡକ୍ଟ ସରକାରଙ୍କ ଅର୍ଥନୀତିରେ ପ୍ରାଥମିକ ନୀତି ହୋଇଛି । ଭାରତମାଳା, ସାଗରମାଳା, ଡେଡିକେଟ୍ ଫ୍ରେଟ୍ କୋରିଡର, ଉଡାନ, ଭାରତ ବ୍ରଡ ବ୍ୟାଣ୍ଡ୍ ନେଟଓ୍ୱାର୍କ ଦ୍ୱାରା ଏକବିଂଶ ଶତାବ୍ଦୀର ଭିତ୍ତିଭୂମି ସୁଦୃଢ଼ ହେଉଛି। ଭାରତ ମଧ୍ୟରେ କ୍ରୁଜ୍ ପର୍ଯ୍ୟଟନ ପୁସ୍ତକରେ ଦେଖିବା ସମ୍ଭବ ହୋଇ ରହି ନାହିଁ ବରଂ ଦେଶରେ ଲୋକମାନେ ଏହାର ସୁବିଧା ମଧ୍ୟ ନେଉଛନ୍ତି । ଯୁବକଙ୍କ ରୋଜଗାର, ସ୍ୱରୋଜଗାର ବୃଦ୍ଧି ହେଉଛି। ନିଯୁକ୍ତି ଅନ୍ୱେଷଣ ପରିବର୍ତ୍ତେ ନିଯୁକ୍ତି ଦାତା ହେଉଛନ୍ତି ।

ପ୍ରଥମ ଥର ପାଇଁ ଦେଶର ଉଦ୍ୟୋଗ ଜଗତକୁ ଗତିଶକ୍ତି ଫ୍ରେମଓ୍ୱାର୍କରେ ଯୋଡିବାର ବ୍ୟବସ୍ଥା ହୋଇଛି। ଡିବିଟି ଦ୍ୱାରା ଲୋକମାନେ ଲାଭ ଉଠାଉଛନ୍ତି । ଆଜି ହେଉଥିବା ନୀତି ସମସ୍ତଙ୍କ ପାଇଁ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଥିବା ଯୋଜନାରେ ଅନ୍ତର୍ଭୃକ୍ତ ଲାଭାର୍ଥୀମାନେ ଶତ ପ୍ରତିଶତ ଲାଭ ପାଉଛନ୍ତି। ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ କ୍ରୀଡାରେ ପ୍ରୋତ୍ସାହନ ଦେବା ପାଇଁ ଦେଶରେ ୭୦୦ରୁ ଅଧିକ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ହୋଇଛି। ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ସଂରକ୍ଷଣ ଦେବାର ବ୍ୟବସ୍ଥା ହୋଇଛି।

Get real time updates directly on you device, subscribe now.