fbpx

ଟି -୨୦ ବିଶ୍ୱକପ: ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ ଆକାଶ ଛୁଆଁ

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ମାତ୍ର ତିନି ମାସ ବାକି ଅଛି । ଏହି ମେଗା ଇଭେଣ୍ଟ ଚଳିତ ଜୁନ ମାସରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବ। ଏଥିରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଯାହାକୁ ନେଇ ପ୍ରଶଂସକମାନେ ଦୁଇ ଦଳ ମଧ୍ୟରେ ହେବାକୁ ଥିବା ସେହି ମ୍ୟାଚ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଆଉ ଏହି ମ୍ୟାଚର କ୍ରେଜ୍ ଏତେ ରହିଛି ଯେ, ବର୍ତ୍ତମାନ ଏହାର ଟିକେଟ କୋଟି କୋଟି ଟଙ୍କାରେ ବିକ୍ରି ହେବାକୁ ଲାଗିଲାଣି।

ସୂଚନା ଥାଉକି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ଜୁନ୍ ୯ରେ ଖେଳାଯିବ । ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ହୋଇସାରିଛି ଏବଂ ଏହାର ମୂଲ୍ୟ ମଧ୍ୟ ବହୁତ ଅଧିକ ରହିଛି । ବହୁ ପ୍ରତୀକ୍ଷିତ ମ୍ୟାଚ୍ ପାଇଁ ଟିକେଟ୍ ହାର ଆଶ୍ଚର୍ଯ୍ୟଜନକ ହୋଇଛି। ଟିକେଟ୍ ବିକ୍ରି ହେବା ପରେ, ବର୍ତ୍ତମାନ StubHub ଏବଂ SeatGeek ଭଳି ପ୍ଲାଟଫର୍ମରେ ଦୁଇଗୁଣ ମୂଲ୍ୟରେ ଉପଲବ୍ଧ । କେତେକ ଟିକେଟ୍ ମୂଲ୍ୟ ଭାରତୀୟ ମୁଦ୍ରାରେ ୧ କୋଟି ୮୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ରହିଛି।

ତେବେ ଏହି ମ୍ୟାଚ୍‌ର ଟିକେଟ୍‌ର ପ୍ରାରମ୍ଭିକ ମୂଲ୍ୟ ୫୦୦ ଟଙ୍କା ରହିଥିଲା । ଯାହା ଅଫିସିଆଲ୍‌ ରେଟ୍‌ ରହିଛି । କିନ୍ତୁ କେତେକ ୱେବ୍‌ସାଇଟ୍‌ ଏହି ସବୁ ଟିକେଟ୍‌ କିଣି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି । ଏଥିରେ VIP ଟିକେଟର ପ୍ରାରମ୍ଭିକ ମୂଲ୍ୟ ୪୦୦ ଡଲାର ରହିଛି । ଏହାର ମୂଲ୍ୟ ପ୍ରାୟ ୩୩୦୦୦ ଟଙ୍କା । କିନ୍ତୁ ଅନ୍ୟ ଏକ ୱେବ୍‌ସାଇଟ୍‌ରେ ଏଭଳି ଟିକେଟ୍‌କୁ ୪୦ ହଜାର ଡଲାରରେ ବିକ୍ରି କରାଯାଉଛି । ଯାହା ଭାରତୀୟ ମୂଲ୍ୟ ପ୍ରାୟ ୩୩ ଲକ୍ଷ ଟଙ୍କା ହେବ।

ତେବେ ମିଡ଼ିଆ ସୂଚନା ଅନୁଯାୟୀ, SeatGeek ନାମକ ଏକ ଆମେରିକା ୱେବ୍‌ସାଇଟ୍‌ ରହିଛି । ଏଥିରେ ସ୍ପୋର୍ଟ୍ସ ସହ ଅନ୍ୟାନ ଇଭେଣ୍ଟ୍‌ ପାଇଁ ମଧ୍ୟ ଟିକେଟ୍‌ ଉପଲବ୍ଧ ରହିଛି। ବିଶେଷକରି ଏଥିରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ପାଇଁ ଟିକେଟ ୩୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି । ଅନ୍ୟପଟେ ଏହି ମୂଲ୍ୟ ମଧ୍ୟ ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଭାରତ ପାକିସ୍ତାନ ମ୍ୟାଚ୍‌ର ଦୁଇଟି ଟିକେଟ୍‌ ପାଇଁ ୧୭୯.୫ ହଜାର ଡଲାର ଖର୍ଚ୍ଚ କରିବାକୁ ପଡ଼ୁଛି । ଏହା ସହ ଏହି ଟିକେଟ୍‌ ପାଇଁ ଟାକ୍ସ ମଧ୍ୟ ଦେବାକୁ ହେବ । ଏଭଳି ଭାବରେ ଟିକେଟ ବାବଦକୁ ଦର୍ଶକ ପ୍ରାୟ ୫୦ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

ଏଠାରେ କହି ରଖୁ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପାଇଁ ଟିକେଟ୍ ଚାହିଦା ସର୍ବଦା ଅଧିକ । ଗତ ବର୍ଷ ଭାରତରେ ଶେଷ ହୋଇଥିବା ବିଶ୍ୱକପ୍‌ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ବିକ୍ରୟ ଆରମ୍ଭ ହେବାର କିଛି ସମୟ ପରେ ଟିକେଟ ବିକ୍ରି ହୋଇଗଲା ।

 

Get real time updates directly on you device, subscribe now.